ରାଉରକେଲା: ଜିଲ୍ଲାରେ ଆଳୁ, ପିଆଜ ଚାଷ ପାଇଁ ଚାଷୀକୂଳ ଅନାଗ୍ରହୀ। ଜିଲ୍ଲାର ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ଅଣଧାନ, ଯଥା-ପନିପରିବା, ଡାଲି ଜାତୀୟ, ତୈଳବୀଜ, ମିଲେଟ୍ ଆଦି ଚାଷ ହେଉଥିବାବେଳେ କେବଳ ପାଖାପାଖି ୩୦ ହଜାର ହେକ୍ଟର ଜମିରେ ପନିପରିବା ଚାଷ ହେଉଛି। ଏଥିମଧ୍ୟରୁ ମାତ୍ର ୨୧୦୦ ହେକ୍ଟର(୨.୦୭%) ଜମିରେ ଆଳୁ ଓ ୧୯୦୦ ହେକ୍ଟର(୧.୮୮%) ଜମିରେ ପିଆଜ ଚାଷ ହେଉଛି; ଯାହାକି ଅଣଣଧାନ ଚାଷ ପାଇଁ ଉଦ୍ଦିଷ୍ଟ ଜମିର ୪% ପ୍ରତିଶତରୁ ବି କମ୍ ହେବ। ପ୍ରଶ୍ନ ଉଠେ, ଆଳୁ ଓ ପିଆଜ ପାଇଁ ଚାଷୀ ଅନିଚ୍ଛୁକ କାହିଁକି? ଆଉ ଏହାର ଏକମାତ୍ର କାରଣ ପାଲଟିଛି ସରକାରୀ ସୁବିଧାର ଅଭାବ। ଆଳୁ ଗଚ୍ଛିତ ରଖିବାକୁ ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ଓ ପିଆଜ ରଖିବାକୁ ‘ପିଆଜ ସାଇତା ଗୃହ’ ନଥିବାରୁ କଷ୍ଟ ଉପାର୍ଜିତ ଉତ୍ପାଦ ନଷ୍ଟ କରିବାକୁ ଏ ଚାଷ ପ୍ରତି ଆଗ୍ରହ ଦେଖାଉନାହାନ୍ତି।
ପ୍ରାୟତଃ ନଭେମ୍ବରରୁ ଫେବ୍ରୁଆରି ମଧ୍ୟରେ ଆଳୁ ଚାଷ କରାଯାଇଥାଏ। ଆଳୁ ଚାଷ ଅମଳ ସମୟରେ ଏହାର ଦର ଢ଼େର୍ କମ୍ ରହିଥାଏ। ଏଣୁ ଚାଷୀ ଆର୍ଥିକ କ୍ଷତି ସହିବା ସ୍ବାଭାବିକ୍। ଏଣୁ ଆଳୁକୁ ଗଚ୍ଛିତ କରି ରଖିବା ସହ ଦରବୃଦ୍ଧି ସମୟରେ ବଜାର ପ୍ରବେଶ କରାଇବା ପାଇଁ ଶୀତଳଭଣ୍ଡାର ନିର୍ମାଣ କରାଯାଇଥାଏ।
ଏହି କ୍ରମରେ ଜିଲ୍ଲାରେ ମଧ୍ୟ ଉଦ୍ୟାନ କୃଷି ବିଭାଗ ଆନୁକୂଲ୍ୟରେ ୫ଟି ଶୀଳତଭଣ୍ଡାର ସ୍ଥାପନ କରାଯାଇଥିଲା। ସେ ଗୁଡ଼ିକ ରାଉରକେଲା ସମେତ ବଡ଼ଗାଁ, ବଣାଇ, ନୂଆଗାଁ ଓ କିଞ୍ଜିରିକେଲାରେ ଅବସ୍ଥିତ। ବଡ଼ଗାଁ, ବଣାଇ ଓ କିଞ୍ଜିରିକେଲାରେ ଥିବା ଶୀଳତଭଣ୍ଡାର ୫ ହଜାର ମାଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଥିବାବେଳେ ରାଉରକେଲା ଓ ନୂଆଗାଁରେ ଥିବା ଶୀଳତଭଣ୍ଡାରର କ୍ଷମତା ୧୫ ଶହ ମାଟ୍ରିକ୍ ଟନ୍। ତେବେ ଏଥିମଧ୍ୟରୁ ଦୁଇଟି, ବଣାଇ ଓ କିଞ୍ଜିରିକେଲାସ୍ଥ ଶୀତଳଭଣ୍ଡାର ଅଚଳ ହୋଇ ପଡ଼ିଛି। ଫଳରେ ଏ ଅଞ୍ଚଳର ଚାଷୀ ଆଳୁ ଚାଷ କରି ଗଚ୍ଛିତ କରି ରଖିବାର ସୁଯୋଗ ପାଉନାହାନ୍ତି। ଫଳରେ ସ୍ବଳ୍ପ ଦରରେ ଆଳୁ ବିକ୍ରି କରି କ୍ଷତି ସହିବା ହିଁ ସାର ହେଉଛି। ଅପରପକ୍ଷରେ ବଡ଼ଗାଁ, ରାଉରକେଲା ଓ ନୂଆଗାଁରେ ଥିବା ଶୀତଳଭଣ୍ଡାର ମଧ୍ୟ ଚାଷୀମାନଙ୍କ କାମରେ ଆସୁନି। ଯେଉଁ ପରିମାଣରେ ଚାଷୀ ଏଠାରେ ଆଳୁ ଗଚ୍ଛିତ ରଖିବା କଥା, ତାହା ଦେଖିବାକୁ ମିଳୁନି। ଶୀଳଭଣ୍ଡାରର କାର୍ଯ୍ୟକାରୀତା ବିଷୟରେ ବ୍ୟାପକ ପ୍ରଚାରପ୍ରସାରର ଅଭାବ ହେଉ ଅବା ଆର୍ଥିକ ସଙ୍କଟ ଦୂର କରିବାକୁ ଚାଷ ଅମଳ ହେବାମାତ୍ରେ ବିକ୍ରି କରିବାର ପ୍ରଥା; ଚାଷୀମାନେ ଏହି ଶୀତଳଭଣ୍ଡାରର ମୁହଁ ମାଡ଼ୁନାହାନ୍ତି।
କେବଳ ଆଳୁ ନୁହେଁ; ପିଆଜ ଚାଷ ମଧ୍ୟ ସମାନ ସଙ୍କଟ ଦେଇ ଗତି କରୁଛି। ପିଆଜକୁ ଗଚ୍ଛିତ ରଖିବା ଜିଲ୍ଲାରେ ୫ଟି ‘ପିଆଜ ସାଇତା ଗୃହ’ ସ୍ଥାପନ କରାଯାଇଛି। ସେଗୁଡ଼ିକ ସୁନ୍ଦରଗଡ଼ର ସିଆମାଲ, ଲେଫ୍ରିପଡ଼ା ବ୍ଲକର ଚକ୍ରଧରପୁର, ସବଡେଗା ବ୍ଲକର ମାଲିଡିହି, ବାଲିଶଙ୍କରାର କାରୁଆବାହାଲ ଓ ନୂଆଗାଁ ବ୍ଲକର ଜାମଧରାରେ ଅବସ୍ଥିତ। ପ୍ରତ୍ୟେକ ପିଆଜ ସାଇତା ଗୃହରେ ୨୫ ମାଟ୍ରିକ ଟନ୍ ଗଚ୍ଛିତ ରଖାଯାଇପାରିବ। ତେବେ ଜିଲ୍ଲାରେ ମାତ୍ର ୫ଟି ପିଆଜ ସାଇତା ଗୃହ ଥିବାରୁ ଏହା ଆବଶ୍ୟକତା ମେଣ୍ଟାଇପାରୁନି। ଏହାର ଧାରଣ କ୍ଷମତା ଅତି ନଗଣ୍ୟ ହୋଇଥିବାରୁ ଅଧିକ ପିଆଜ ଚାଷ ହେଲେ, ଗଚ୍ଛିତ କରି ରଖିବାରେ ସମସ୍ୟା ଉପୁଜିବା ସହ ଫସଲ ନଷ୍ଟ ହେବାର ଆଶଙ୍କା ସର୍ବାଧିକ। ଏଣୁ ଜିଲ୍ଲାରେ ଅଧିକ ସଂଖ୍ୟକ ଶୀତଳଭଣ୍ଡାର, ପିଆଜ ସାଇତା ଗୃହ ନିର୍ମାଣ କରି, ଏହି ଚାଷ ପ୍ରତି ଚାଷୀମାନଙ୍କୁ ଆକର୍ଷିତ କରାଯିବାର ଆବଶ୍ୟକତା ରହିଛି।