ଦୁଇ କଲେଜର ଅଡିଟ୍‌ ନିର୍ଦ୍ଦେଶ

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନ ଡିଗ୍ରି କଲେଜଗୁଡ଼ିକରୁ ବାରମ୍ବାର ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସୁଛି। ଅଧ୍ୟକ୍ଷ ପଦରେ ଥିବା ସମୟରେ କୌଣସି ଅଭିଯୋଗ ଆସୁନି। ବରଂ ପଦ ଗଲା ପରେ ଅଭିଯୋଗର ଲମ୍ବା ଲାଇନ୍‌ ଲାଗୁଛି। ଏ କ୍ରମରେ ଗତ ୨୫ ତାରିଖରେ ରାଜ୍ୟର ଦୁଇଟି ପ୍ରମୁଖ ମହାବିଦ୍ୟାଳୟର ଅଡିଟ୍‌ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। କେନ୍ଦ୍ରାପଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ଆର୍ଥିକ ଅନିୟମିତତାର ତଦନ୍ତ ଲାଗି ବିଭାଗ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଛି। ୨୦୨୨ ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ମଧ୍ୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ବରେ ଥିବା ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀଙ୍କ ସମୟରେ ଅଡିଟ୍‌ କରିବାକୁ କୁହାଯାଇଛି। ଦୁଇ ମାସ ମଧ୍ୟରେ ଶ୍ରୀ ତ୍ରିପାଠୀ ଏଭଳି କେଉଁ କାର୍ଯ୍ୟ କଲେ ଯେ ତାଙ୍କ ସମୟର ଅଡିଟ୍‌ କରିବାକୁ ବିଭାଗ ଅଣ୍ଟା ଭିଡ଼ିଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ମା’ ହୀରାନୀଳା ଡିଗ୍ରି ମହାବିଦ୍ୟାଳୟର ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ସମୟର ଅଡିଟ୍‌ କରିବାକୁ ଏକ ଟିମ୍‌ ଗଠନ ହୋଇଛି। ଉକ୍ତ ଦୁଇ ଜଣିଆ ଟିମ୍‌ କଲେଜକୁ ଗସ୍ତ କରି ଅଡିଟ୍‌ କରିବା ସହ ଉଚ୍ଚଶିକ୍ଷା ବିଭାଗ ନିକଟରେ ରିପୋର୍ଟ ଦାଖଲ କରିବେ। ଏନେଇ ବିଭାଗୀୟ ଅତିରିକ୍ତ ସଚିବ ମନୋରଞ୍ଜନ ନାୟକ ଉକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି। ମାତ୍ର ଅଡିଟ୍‌ର ସ୍ବଚ୍ଛତା ନେଇ ପୂର୍ବତନ ଅଧ୍ୟକ୍ଷମାନେ ସ୍ବର ଉଠାଇଛନ୍ତି। ଏକ ନିର୍ଦ୍ଦିଷ୍ଟ ସମୟ କା‌ହିଁକି? ପୂର୍ବରୁ ଯେଉଁମାନେ ଅଧ୍ୟକ୍ଷ ରହିଥିଲେ ସେମାନଙ୍କ କାର୍ଯ୍ୟକାଳ ସମୟରେ କ୍ୟାମ୍ପସର କିଭଳି କାର୍ଯ୍ୟ ହୋଇଛି, ସେମାନେ ଅଧ୍ୟକ୍ଷ ପଦରେ ରହି ମଧ୍ୟ କିଭଳି ଅନ୍ୟ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିଲେ ତାହାର ବି ତଦନ୍ତ କରାଯାଉ ବୋଲି ଦାବି ଉଠିଛି।

ସମ୍ବନ୍ଧିତ ଖବର