ଗଞ୍ଜାମ ଜିଲ୍ଲା ଚିକିଟି ସାମୁଦ୍ରିକ ଥାନା ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା : ଦୁଇ କଲେଜ ଛାତ୍ର ଗିରଫ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଚିକିଟି ସାମୁଦ୍ରିକ ଥାନା ଅଞ୍ଚଳରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୁଲିସ ବ୍ରହ୍ମପୁରର ଏକ କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷର ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି। ଅଭିଯୁକ୍ତ ତଥା‌ ଛାତ୍ର ଦ୍ବୟ ହେଲେ ସୁନାପୁର ଗ୍ରାମର ଜନାର୍ଦ୍ଦନ ବେହେରା(୨୪) ଓ ଆରୁଅ ଗ୍ରାମର ମିଥୁନ ଦାସ(୨୨)। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଦ୍ବୟ ସମ୍ପୃକ୍ତ ନାବାଳିକାଙ୍କ ଆଖିରେ ତାଙ୍କ ଚୁନିକୁ ବାନ୍ଧି ଦେବା ସହ କିଛି ଥଣ୍ଡା ପାନୀୟ ପିଆଇ ଦେଇଥିଲେ। ଫଳରେ ସେ ଆଉ କିଛି ଜାଣିପାରି ନ ଥିଲେ। ଚେତା ଫେରିବା ବେଳକୁ ନାବାଳିକା ଜଣକ ଗାଁ ବ୍ରିଜ ନିକଟରେ ପଡ଼ିଥିଲେ। ତାଙ୍କର ଛାତି ଓ ଶରୀରର ବିଭିନ୍ନ ସ୍ଥାନରେ ଯନ୍ତ୍ରଣା ହେଉଥିଲା। ଏହାପରେ ସେ ଘରକୁ ଆସି ସବୁ ଜଣାଇଥିଲେ। ‌ପୀଡ଼ିତାଙ୍କ ଏହି ବୟାନକୁ ଭିତ୍ତି କରି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

ଏସ୍‌ପି କହିଛନ୍ତି, ଗତ ୧୦ ତାରିଖରେ ନାବାଳିକା(୧୪) ଜଣକ ବାହୁଦା ନଦୀ ପାଖକୁ ଶୌଚ ହେବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଦିନ ତମାମ୍ ଖୋଜାଖୋଜି କରି ମଧ୍ୟ ତାଙ୍କର ପତ୍ତା ମିଳି ନଥିଲା। ୧୧ ତାରିଖ ସନ୍ଧ୍ୟା ୬ଟା ବେଳେ ସେ ଘରକୁ ଫେରି ସବୁ କଥା କହିଥିଲେ। ସୁନାପୁର ଅଞ୍ଚଳର ଜନାର୍ଦ୍ଦନ ଓ ତା’ର ଦୁଇ ସାଙ୍ଗ ପୀଡ଼ିତାଙ୍କ ମୁହଁରେ ଚୁନି ବାନ୍ଧି ବାହୁଦା ନଦୀ ନିକଟରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇ ଦୁର୍ଷ୍କମ କରିଥିବା ସେ କହିଥିଲେ। ପୀଡ଼ିତାଙ୍କଠାରୁ ଏହା ଜାଣିବା ପରେ ତାଙ୍କ ଦାଦା ସାମୁଦ୍ରିକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭାରତୀୟ ପିଙ୍ଗଳ କୋଡ଼ର ଦଫା ୩୬୩, ୩୨୩, ୩୭୬(ଡି)(ଏ) ଏବଂ ୬ ‌ପୋକ୍ସୋ ଆଇନ ବଳରେ ଗତ ୧୨ତାରିଖରେ ସୁନାପୁର ଥାନାରେ ୧ନମ୍ବର ମାମଲା ରୁଜୁ ହୋଇଥିଲା। ପୀଡ଼ିତା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି। କୋର୍ଟରେ ସିଆ‌ରପିସିର ଧାରା ୧୬୪ରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଛି। ଏଥିସହ ପୀଡ଼ିତାଙ୍କ ଡାକ୍ତରୀମାଇନା ମଧ୍ୟ ହୋଇଛି। ପୀଡ଼ିତାଙ୍କ ବୟାନ ଓ ପ୍ରାଥମିକ ତଦନ୍ତକୁ ଭିତ୍ତି କରି ଉପରୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୀଡ଼ିତା ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ପୁଣି ପଚରାଉଚରା କରାଯିବ। ଏଥିସହ ଡାକ୍ତରୀ ମାଇନା ରିପୋର୍ଟକୁ ଅନୁଧ୍ୟାନ କରି ତଦନ୍ତ ଅଗ୍ରଗତି ହେବ। ତଦନ୍ତ ପରିସରରେ ଅନ୍ୟ ଯେଉଁ ଅଭିଯୁକ୍ତମାନେ ଆସିବେ ସେମାନଙ୍କୁ ବି ଗରିଫ କରାଯିବ। ଏହି ମାମଲାର ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର