ରାଜ୍ୟରେ ପରୀକ୍ଷା ହୋଇଥିବା ୭୦ଟି ନମୁନାରୁ ୨ଟି କରୋନା ପଜିଟିଭ୍‌

ଭୁବନେଶ୍ବର : ରାଜ୍ୟରେ କରୋନା ସନ୍ଦେହରେ ଏ ପର୍ଯ୍ୟନ୍ତ ୭୦ଟି ନମୁନା ପରୀକ୍ଷା ହୋଇଥିବା ବେଳେ ତହିଁରୁ ୬୯ଟି ନମୁନା ରିପୋର୍ଟ ହସ୍ତଗତ ହୋଇଛି। ତହିଁରୁ ୨ଟି ନମୁନା ପଜିଟିଭ୍ ରହିଥିବା ବେଳେ ଗୋଟିଏ ରିପୋର୍ଟ ହସ୍ତଗତ ହୋଇ ନ ଥିବା ସୂଚନା ଦେଇଛନ୍ତି କୋଭିଡ୍‌-୧୯ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଯୁକ୍ତ ହୋଇଥିବା ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଲେ, କରୋନା ସଂକ୍ରମଣ ଚିହ୍ନଟ ହୋଇଥିବା ୨ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ରୋଗୀଙ୍କ ସଂସ୍ପର୍ଶରେ ବର୍ତମାନ ସୁଦ୍ଧା ୫୬ଜଣ ଆସିଥିବା ତଥ୍ୟ ମିଳିଛି। ସେମାନଙ୍କ ମଧ୍ୟରୁ ୫୩ଜଣଙ୍କ ସହ ଯୋଗାଯୋଗ ହୋଇପାରିଛି। ଅନ୍ୟ ୩ଜଣଙ୍କ ସହ ଯୋଗାଯୋଗ ପାଇଁ ଚେଷ୍ଟା ଜାରି ରହିଛି। ଏଥିପାଇଁ ୯ଟି ମନଟରିଂ ଟିମ୍ କାର୍ଯ୍ୟ କରୁଛନ୍ତି। ଏହାସହ ରାଜ୍ୟରେ ବିଦେଶ ଫେରନ୍ତାଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏ ପର୍ଯ୍ୟନ୍ତ ୩୨୩୬ଜଣ ନିଜର ପଞ୍ଜୀକରଣ କରିଛନ୍ତି। କୋଭିଡ୍‌-୧୯ ସଂସ୍ପର୍ଶରେ ଆସିଥିବା ୨୩ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍‌ରେ ରଖାଯାଇଛି।

ବର୍ତ୍ତମାନ ସ୍ଥିତିରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ୫ଲକ୍ଷ ଗରିବ, ଦୁସ୍ଥ ଓ ବଞ୍ଚିତ ହିତାଧିକାରୀଙ୍କୁ ସାମିଲ କରି ଖାଦ୍ୟ ନିରାପତ୍ତା ଯୋଗାଇଦେବା ପାଇଁ ସ୍ଥିର କରାଯାଇଛି। ଏହି ହିତାଧିକାରୀମାନେ ମାସିକ ୧ଟଙ୍କା ମୂଲ୍ୟରେ ମୁଣ୍ଡ ପିଛା ୫କେଜି ଲେଖାଏଁ ଚାଉଳ ପାଇବେ। ଆସନ୍ତା ଏପ୍ରିଲ, ମେ’ ଓ ଜୁନ୍‌ ପାଇଁ ଆସନ୍ତା ୨୪ ତାରିଖଠାରୁ ହିତାଧିକାରୀଙ୍କୁ ବଣ୍ଟନ କରାଯିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ପରିଚାଳିତ ସମସ୍ତ ଛାତ୍ରାବାସ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛ। ମାତ୍ର ଯେପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପିତାମାତା ବା ଅଭିଭାବକମାନେ ସେମାନଙ୍କୁ ଛାତ୍ରାବାସରୁ ନେଇ ନାହାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଛାତ୍ରାବାସରେ ରହିପାରିବେ। ମଧ୍ୟାହ୍ନ ଭୋଜନ ବାବଦକୁ ଛାତ୍ରଛାତ୍ରୀମାନଙ୍କୁ ଏକକାଳୀନ ଆଗୁଆ ୩ ମାସର ଶୁଖିଲା ରାସନ୍‌ ଦିଆଯିବ। ପ୍ରଧାନ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କ ପିତାମାତାଙ୍କୁ କୁପନ ଦେବେ।

ଏହି କୁପନ୍‌କୁ ଦେଖାଇ ସେମାନେ ସ୍କୁଲ ଅନୁବନ୍ଧିତ ହୋଇଥିବା ନିକଟସ୍ଥ ସାଧାରଣ ବଣ୍ଟନ କେନ୍ଦ୍ରରୁ ଏହି ଆଗୁଆ ରାସନ୍‌ ଉଠାଇ ପାରି‌ବେ। ଏଥିପାଇଁ ସଂପୃକ୍ତ ବ୍ଲକ୍ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନ ଓ ଥେରାପି ସେଣ୍ଟର୍‌ର ହଷ୍ଟେଲଗୁଡ଼ିକୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି। ପ୍ରତି ଅନ୍ତେବାସୀଙ୍କୁ ମାସିକ ୧୨ଶହ ଟଙ୍କା ହିସାବରେ ୩ମାସ ପାଇଁ ଖାଦ୍ୟପେୟ ଓ ଅନ୍ୟାନ୍ୟ ବାବଦକୁ ସହାୟତା ଅଗ୍ରୀମ ପ୍ରଦାନ କରାଯିବ। ଏହା ବ୍ୟତୀତ ଅନ୍ତେବାସୀଙ୍କୁ ଜଣେ ସହଯୋଗୀ/ସାହାଯ୍ୟକାରୀଙ୍କ ସହ ଘରକୁ ଫେରିବା ସକାଶେ ଯାତାୟାତ ଖର୍ଚ ବାବଦକୁ ସର୍ବୋଚ୍ଚ ୫ଶହ ଟଙ୍କା ପ୍ରଦାନ କରାଯିବ। ଗ୍ରାମାଞ୍ଚଳରେ କୋଭିଡ୍‌-୧୯ ସଂପର୍କିତ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ୧୯ ତାରିଖରୁ ଆରମ୍ଭ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ସଚେତନତା ବୈଠକର ତୃତୀୟ ଦିନରେ ଆଜି ରାଜ୍ୟର ଜିଲ୍ଲା ପରିଷଦସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ପୌରାଞ୍ଚଳ ତରଫରୁ ନିଜ ଅଞ୍ଚଳକୁ ସ୍ବଚ୍ଛ ରଖିବା ପାଇଁ ସ୍ବଚ୍ଛ ସାଥୀମାନଙ୍କୁ ସଚେତନତା କାର୍ଯ୍ୟକ୍ରମର ଦାୟିତ୍ବ ପ୍ରଦାନ କରାଯାଇଥିବା ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର