ବ୍ରହ୍ମପୁର ଜେଲ୍‌ରେ ୨ କରୋନା ପଜିଟିଭ୍‌

କୋର୍ଟ ନିର୍ଦ୍ଦେଶରେ କୋଭିଡ୍‌ ହସ୍‌ପିଟାଲ ସ୍ଥାନାନ୍ତର, ସଙ୍ଗରୋଧରେ ଜରଡ଼ା ଥାନାର ସବୁ କର୍ମଚାରୀ

ବ୍ରହ୍ମପୁର : ବ୍ରହ୍ମପୁର ମଣ୍ଡଳ କାରାଗାରର ଦୁଇଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ କେୟାର୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଅଭିଯୁକ୍ତ ଦ୍ବୟ ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଇଲାକାର ବୋଲି ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ସୂଚନା ଦେଇଛନ୍ତି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ପୁଲିସ କର୍ମଚାରୀଙ୍କୁ ତୁରନ୍ତ ସଙ୍ଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି। ଜରଡ଼ା ଥାନାକୁ ସାନିଟାଇଜ୍‌ କରିବା ପାଇଁ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଉଭୟ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଠାବ କରିବା ପାଇଁ କଣ୍ଟାକ୍ଟ୍‌ ଟ୍ରେସିଂ ଆରମ୍ଭ ହୋଇଥିବା ଏସ୍‌ପି ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପୁଲିସ ଏକ ହତ୍ୟା ଉଦ୍ୟମ ମାମଲାରେ ଗତ ୩ତାରିଖରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ୪ତାରିଖରେ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କୋର୍ଟ ଚାଲାଣ ପୂର୍ବରୁ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରା ଯାଇଥିଲା। ଏହି ସମୟରେ କରୋନା ପରୀକ୍ଷା ପାଇଁ ମଧ୍ୟ ଉଭୟଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରା ଯାଇଥିଲା। କୋର୍ଟ ଉଭୟଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଉଭୟ ମଣ୍ଡଳ କାରାଗାରରେ ଥିଲେ। ଆଜି ଉଭୟଙ୍କ କରୋନା ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି ବୋଲି ବ୍ରହ୍ମପୁର ଏସ୍‌.ପି. ସୂଚନା ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଉଭୟଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର