ବାଲେଶ୍ୱର: ରେମୁଣା ସ୍ଥିତ ଫକୀରମୋହନ ମେଡିକାଲ କଲେଜର ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନେ ହେଲେ ମେଡିକାଲ କଲେଜର ପ୍ରଶାସନିକ ଅଧିକାରିଣୀ ଏବଂ ଡିନ୍ଙ୍କ କାର୍ଯ୍ୟାଳୟର ଜଣେ କିରାଣି। ଏନେଇ ସୂଚନା ପାଇବା ପରେ କାର୍ଯ୍ୟାଳୟ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ୫ ଦିନ ପର୍ଯ୍ୟନ୍ତ ଗୃହ ସଙ୍ଗରୋଧରେ ରହିବାକୁ ନିର୍ଦେଶ ଦିଆଯାଇଛି।
ମିଳିଥିବା ଖବର ଅନୁଯାୟୀ, ମେଡିକାଲ କଲେଜରୁ ଚିହ୍ନଟ ହୋଇଥିବା ଏହି ଦୁଇଜଣ କିପରି ଆକ୍ରାନ୍ତ ହୋଇଛନ୍ତି ଏବଂ କାହା କାହା ସଂସ୍ପର୍ଶରେ ଆସିଛନ୍ତି ତାହା ଜଣାପଡ଼ିନାହିଁ। ତେବେ ଉଭୟ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ବିଭିନ୍ନ କାମରେ ବାରମ୍ବାର ଯିବାଆସିବା କରିଛନ୍ତି। ତାଙ୍କ ସଂସ୍ପର୍ଶରେ ମେଡିକାଲ କଲେଜର ଡିନ୍, ସୁପରିଟେଣ୍ଡେଣ୍ଟ୍ଙ୍କ ସମେତ ଏକାଧିକ ଡାକ୍ତର ଏବଂ ବିଶେଷଜ୍ଞମାନେ ମଧ୍ୟ ଆସିଥିବା ଜାଣିବାକୁ ମିଳିଛି। ଏନେଇ କଲେଜର ଡିନ୍ ଡାକ୍ତର ରାମଚନ୍ଦ୍ର ଗିରିଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଅନ୍ୟପକ୍ଷରେ ମେଡିକାଲ କଲେଜ ଏବଂ ଡିନ୍ଙ୍କ କାର୍ଯ୍ୟାଳୟକୁ ତୁରନ୍ତ ବିଶୋଧିତ କରାଯାଇଥିବା ସୂଚନା ମିଳିଛି।
ଆଜି ବାଲେଶ୍ବରରୁ ଆଉ ୨୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୧୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଆଜିକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮୫କୁ ବୃଦ୍ଧି ପାଇଛି। ତନ୍ମଧ୍ୟରୁ ୬୫୫ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ୨୨୫ ମାମଲା ସକ୍ରିୟ ରହିଛି।