କଟକ: ସ୍ଥାନୀୟ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୨ ଜଣ କରୋନା ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି। ହସ୍ପିଟାଲର ଜଣେ ପୁରୁଷ ଓ ଜଣେ ମହିଳା ନର୍ସ କରୋନା ଭାଇରସରେ ଆକ୍ରାନ୍ତ ଅଛନ୍ତି। ହସ୍ପିଟାଲର ନିର୍ଦ୍ଦେଶକ ଲଲାଟେନ୍ଦୁ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କିଛି ଦିନ ତଳେ ଏଠାରେ ଗଂଜାମ ଜିଲ୍ଲାର ଜଣେ ରୋଗୀ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲେ। ସେହି ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ଆଜି ଚିହ୍ନଟ ହୋଇଥିବା ୨ ଜଣ କରୋନା ଯୋଦ୍ଧା। କ୍ୟାନ୍ସର ହସ୍ପିଟାଲରେ ଜଣେ ରୋଗୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ୫୨ ଜଣ କର୍ମଚାରୀଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ଯାଇଥିଲା। ଆଜି ନମୁନା ରିପୋର୍ଟ ଆସିବା ପରେ ୫୦ ଜଣ ନେଗେଟିଭ ଓ ୨ ଜଣ ପଜିଟିଭ ଥିବା ଜଣାପଡ଼ିଛି। ପଜିଟିଭ ଜଣାପଡ଼ିବା ପରେ ସଂପୃକ୍ତ ୨ ନର୍ସଙ୍କୁ କୋଭିଡ-୧୯ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ, କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବ୍ୟକ୍ତି ଗତ ୨୪ ତାରିଖରେ କରୋନା ଭାଇରସ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। କର୍କଟ ରୋଗୀ ଜଣକ ହସ୍ପିଟାଲର ଜରୁରୀକାଳୀନ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଗଂଜାମ ଜିଲ୍ଲାର ଏହି ରୋଗୀଙ୍କୁ ଗତ ୧୫ ତାରିଖରେ ଭର୍ତ୍ତି କରାଯାଇଥିଲା। ତାଙ୍କର କେମୋ ଚାଲିଥିବା ବେଳେ ଓ୍ଵାର୍ଡରେ ଅନ୍ୟ ୨ ଜଣ ରୋଗୀ ମଧ୍ୟ ଥିଲେ। କର୍କଟ ରୋଗୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରସ୍ଥିତ କିମ୍ସ କୋଭିଡ-୧୯ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଏଥି ସହିତ ରୋଗୀଙ୍କୁ ଭର୍ତ୍ତି କରାଯାଇଥିବା ଓ୍ଵାର୍ଡକୁ ସିଲ କରାଯିବା ସହ ସାନିଟାଇଜ୍ କରାଯାଇଥିଲା।