ସମୁଦ୍ରରେ ବୁଡ଼ିଯାଉଥିବା ୨ ଦମ୍ପତି ଉଦ୍ଧାର

ପୁରୀ : ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନବେଳେ ବୁଡ଼ିଯାଉଥିବା ପଶ୍ଚିମବଙ୍ଗର ଦୁଇ ଦମ୍ପତିଙ୍କୁ ଆଜି ଲାଇଫ୍ ଗାର୍ଡ଼ମାନେ ଉଦ୍ଧାର କରିଛନ୍ତି। ଦୁଇ ଦମ୍ପତି ହେଲେ ହାଓଡ଼ାର ଗୋବିନ୍ଦ ଧର(୪୨) ଓ ତାଙ୍କ ପତ୍ନୀ ତନୁଶ୍ରୀ ଧର(୨୬) ଏବଂ ହାଓଡ଼ାର ବାବୁଲା ମାଲାକାର (୩୪) ଓ ପତ୍ନୀ ଜୁମା ମାଲାକାର(୩୦)। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇ ଦମ୍ପତି ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକଙ୍କ ସୂଚନା ମୁତାବକ, ଆଜି ଅପରାହ୍ଣରେ ପୁରୀ ବେଳାଭୂମି ଚୈତନ୍ୟ ଛକ ନିକଟ ସେକ୍ଟର-୧୧ ଅଞ୍ଚଳରେ ଉପରୋକ୍ତ ଦୁଇ ଦମ୍ପତି ସମୁଦ୍ରରେ ସ୍ନାନ କରୁଥିଲେ। ଏହି ସମୟରେ ଏକ ଉଚ୍ଚ ଜୁଆର ସେମାନଙ୍କୁ ସମୁଦ୍ର ଭିତରକୁ ଟାଣି ନେଇଥିଲା। ଦୁଇ ଦମ୍ପତି ଉଦ୍ଧାର ପାଇଁ ଚିତ୍କାର କରିବା ପରେ ଲାଇଫ୍ ଗାର୍ଡ଼ମାନେ ସମୁଦ୍ର ଭିତରୁ ଲମ୍ଫ ମାରି ଲାଇଫ୍ ଜ୍ୟାକେଟ୍ ସହଯୋଗରେ ସେମାନଙ୍କୁ ଗଭୀର ଜଳରାଶିରୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର