ରାଉରକେଲା: ଗତ ରାତି ପ୍ରାୟ ୧.୦୫ରେ ରାଉରକେଲା ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ଅବସ୍ଥିତ ହାଓଡ଼ା-ମୁମ୍ବାଇ ରେଳମାର୍ଗର ଭାଲୁଲତା-ଜରେଇକେଲ ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ମହୀପାଣିରେ ଏକ ପାର୍ସଲ୍‌ ଭ୍ୟାନ୍‌ ଧକ୍କା ଦେବାରୁ ଦୁଇଟି ମାଈହାତୀଙ୍କର ମୃତ୍ୟୁ ଘଟିଛି।
ହାତୀଙ୍କ ସହ ଧକ୍କାଖାଇବା ପରେ ଉକ୍ତ ପାର୍ସଲ୍‌ ଭ୍ୟାନ୍‌ର (ଟ୍ରେନ୍‌) ଦୁଇଟି ବଗି ଧାରଣାଚ୍ୟୁତ ହୋଇଛି।

Advertisment

ଖବର ପାଇ ବନ୍ଧମୁଣ୍ଡା ଏଆର୍‌ଏମ୍‌ ନିଶାନ୍ତ କୁମାରଙ୍କ ସମେତ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ ବିଶ୍ରା ରେଞ୍ଜ୍‌ର ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କେଉଁ ପ୍ରକାରର ପରିସ୍ଥିତି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ସେ ସଂକ୍ରାନ୍ତରେ ଅଧିକାରୀମାନେ ତଦନ୍ତ ଆରମ୍ଭ କରିଛନ୍ତି।

publive-image

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ହାଓଡ଼ା-ମୁମ୍ବାଇ ରେଳମାର୍ଗରେ ଉକ୍ତ ପାର୍ସଲ୍‌ ଭ୍ୟାନ୍‌ଟି ନାଶିକରୁ ଶାଲିମାର୍‌ ଅଭିମୁଖେ ଯାତ୍ରା କରୁଥିଲା। ଭ୍ୟାନ୍‌ଟି ମହୀପାଣି ଅଞ୍ଚଳ ଦେଇ ଯାଉଥିବା ବେଳେ ପଲେ ହାତୀ ରେଳ ଧାରଣା ପାରି ହେଉଥିଲେ। ଫଳରେ ପାର୍ସଲ୍‌ ଭ୍ୟାନ୍‌ଟି ପଲର ଦୁଇଟି ହାତୀଙ୍କୁ ଧକ୍କା ଦେଇଥିଲା। ଧକ୍କା ଖାଇବା ପରେ ଗୋଟିଏ ହାତୀ ରେଳ ଧାରଣା ଉପରେ କଟି ଖଣ୍ଡବିଖଣ୍ଡ ହୋଇଯାଇଛି। ଅନ୍ୟ ହାତୀଟି ରେଳ ଧାରଣା ପାର୍ଶ୍ୱରେ ମରି ପଡ଼ିଛି। ଟ୍ରେନ୍‌ଟି ଉକ୍ତ ଦୁଇଟି ହାତୀଙ୍କୁ ଧକ୍କା ଦେବା ପୂର୍ବରୁ ପଲର ବାକିତକ ହାତୀ ଧାରଣା ଅତିକ୍ରମ କରି ସାରିଥିଲେ।

ଏହାଛଡ଼ା, ଧାରଣାଚ୍ୟୁତ ହୋଇଥିବା ପାର୍ସଲ୍‌ ଭ୍ୟାନ୍‌ର ଦୁଇଟି ବଗିକୁ ପୁନର୍ବାର ଧାରଣା ଉପରକୁ ଆଣିବା ଲାଗି ଉଦ୍ୟମ ଚାଲିଛି। ଏଥିପାଇଁ ଗତରାତିରୁ ହାଓଡ଼ା-ମୁମ୍ବାଇ ରେଳମାର୍ଗରେ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି।