ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଟୋଷରବାଡ଼ ନିକଟ ୨୬ନମ୍ବର ଜାତୀୟ ରାଜପଥରେ ଟ୍ରକ ଧକ୍କାରେ ଗୋ ଚାଲାଣକାରୀ ଓ ଦୁଇଟି ଗାଈର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତି ଜଣକ ନବରଙ୍ଗପୁର ବ୍ଲକ୍ କୁମଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଉର୍ଦି ଗ୍ରାମର କେଶବ ହରିଜନ । ମୃତ ଯୁବକ କେଶବ ଡାବୁଗାଁ ହାଟ ବଜାରରୁ ଗୋରୁ ଚାଲାଣ କରି ନବରଙ୍ଗପୁର ଅଭିମୁଖେ ଯାଉଥିଲେ । ଏହି ସମୟରେ ଟୋଷରବାଡ଼ ନିକଟରେ ଏକ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ କେଶବ ହରିଜନ ଓ ଦୁଇଟି ଗାଈର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଟ୍ରକଟି ଧକ୍କା ଦେବା ପରେ ଡ୍ରାଇଭର ଗାଡ଼ି ନେଇ ସେଠାରୁ ଚମ୍ପଟ ମାରିଥିଲା ।
ପରେ ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକକୁ ପିଛା କରି ଉର୍ଦି ଗ୍ରାମ ନିକଟରେ ଟ୍ରକକୁ ଅଟକାଇବାରେ ସଫଳ ହୋଇଥିଲେ । ଟ୍ରକକୁ ଅଟକାଇବା ପରେ ସେଠାରେ ଗ୍ରାମବାସୀ ପହଞ୍ଚି ଡ୍ରାଇଭରକୁ ମାଡ଼ ମାରିବା ଆରମ୍ଭ କରିଥିଲେ। ପୁଲିସ ସବ ଇନ୍ସପେକ୍ଟର ଶିବଜି ପଣ୍ଡା ଡ୍ରାଇଭର ଓ ହେଲ୍ପର କୁ ଉଦ୍ଧାର କରି ଅଟକ ରଖିଥିଲେ। ଗ୍ରାମବାସୀ ଏହି ସମୟରେ ପୁଲିସ ଉପରେ ଆକ୍ରମଣ କରିବା ସହ ପୋଲିସ ଗାଡି କୁ କ୍ଷତି କରିଥିବା ତଦନ୍ତ ଅଧିକାରୀ ହରିହର ଭତରା କହିଛନ୍ତି। ଗ୍ରାମବାସୀ ମୃତକଙ୍କ କ୍ଷତିପୂରଣ ଦାବିରେ ପୁଲିସ ଗାଡିକୁ ଅଟକ ରଖିଥିଲେ ।
ଘଟଣାକୁ ଆୟତ କରିବା ପାଇଁ ୨ ପ୍ଲାଟୁନ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୁଲିସର ଦୀର୍ଘ ୪ ଘଣ୍ଟାର ବୁଝାସୁଝା କଲା ପରେ କୌଣସି ସମାଧାନର ବାଟ ନ ବାହାରିବାରୁ ଘଟଣା ସ୍ଥଳରେ ନବରଙ୍ଗପୁର ତହସିଲଦାର ପହଞ୍ଚି ମୃତକ ପରିବାରକୁ ରେଡକ୍ରସ୍ ତରଫରୁ ୨୦ ହଜାର ଟଙ୍କା , ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଏବଂ ମୃତକଙ୍କ ୩ ପୁଅ-ଝିଅ କୁ ପାଠ ପଢ଼ାଇବା ସହ ତାଙ୍କ ଭରଣ ପୋଷଣ କରିବାର ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଆୟତ ହୋଇଥିଲା ଏବଂ ପୁଲିସ ଗାଡ଼ି ସହ ଡ୍ରାଇଭରକୁ ଗ୍ରାମବାସୀ ସେଠାରୁ ଛାଡିଥିଲେ । ଏନେଇ ପାପଡାହାଣ୍ଡି ଥାନା ରେ ନଂ.୮୮/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯଇଥିବା ସୂଚନା ମିଳିଛି। କୋରାପୁଟ ଜିଲ୍ଲା ସଦର ମହକୁମା ହାଟପୋଦା ସାହିର ଟ୍ରକ ଡ୍ରାଇଭର ରାଜୁ ଭୋଇକୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ମୀରା ନାୟକ କହିଛନ୍ତି।