କନ୍ଧମାଳରୁ କେରଳ: ୫ ଦିନିଆ ତାଲିମ ପାଇ ଫେରିଲେ ୨ ସିଆରସିସି

ଘୁ.ଉଦୟଗିରି: ବିଦ୍ୟାଳୟରେ ଶିକ୍ଷାଦାନରେ ଏକ ସଫଳ ନେତୃତ୍ୱ, ଉପଯୁକ୍ତ ବ୍ୟବହାର, ଉଚ୍ଚ ମନୋବୃତ୍ତି, ସମୟାନୁବର୍ତ୍ତିତା, ସମସ୍ୟା ସମାଧାନର କୌଶଳ, ଦଳଗତ କାର୍ଯ୍ୟ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ବିଦ୍ୟାଳୟ ରୂପାନ୍ତରଣ ଆଦି ଅପରିହାର୍ଯ୍ୟ ଅଟେ। ଆଧୁନିକ ଶିକ୍ଷାରେ ଏହି ସବୁ ଜ୍ଞାନକୌଶଳ ଓ କାର୍ଯ୍ୟଦକ୍ଷତାକୁ ନିଜର ବିଦ୍ୟାଳୟ ତଥା ନିଜ ଅଞ୍ଚଳର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ନିମନ୍ତେ ସେମାନେ ପ୍ରତିଶ୍ରୁତିବଦ୍ଧ। ସେମାନଙ୍କର ଶିକ୍ଷା କ୍ଷେତ୍ରରେ ଅଭିନଵ ଜ୍ଞାନକୌଶଳ, କାର୍ଯ୍ୟଦକ୍ଷତା ପାଇଁ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ର ସିଆରସିସି ରଶ୍ମିତା ମହାରଣା ଏବଂ ଫୁଲବାଣୀ ଦୁବଗଡ଼ର ସିଆରସିସି ପ୍ରଦୀପ କୁମାର ମହାନ୍ତିଙ୍କୁ କନ୍ଧମାଳ ଜିଲ୍ଲାରୁ ମନୋନୀତ ହୋଇ  କେରଳ ୫ ଦିନିଆ ସ୍ୱତନ୍ତ୍ର ଶିକ୍ଷା ପଦ୍ଧତି ତାଲିମ ନେଇ ଫେରିଛନ୍ତି।

ଶ୍ରେଷ୍ଠ ଶିବିରାର୍ଥୀ ଭାବେ ସମ୍ମାନିତ ହୋଇଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ପୂର୍ବରୁ ଏହି ଦୁଇ ସିଆରସିସି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଜାନୁଆରି ୩୧ ତାରିଖ ରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଗ୍ରହଣ କରିଥିଲେ। କେରଳ ଠାରେ ଅନୁଷ୍ଠିତ ୫ଦିନିଆ ତାଲିମରେ ଯାହା ଶିକ୍ଷା ଗ୍ରହଣ କଲେ ତାକୁ ନିଜ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ରେ କାର୍ଯ୍ୟରେ ଲଗେଇବା ସହ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ନିଜ ଅଭିଜ୍ଞତା ବାଣ୍ଟି ଶିକ୍ଷା କ୍ଷେତ୍ରରେ ଏକ ନୂତନ ପ୍ରେରଣା ଏବଂ ଉତ୍ସାହ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବେ ବୋଲି ମତ ରଖିଛନ୍ତି।

ସମ୍ବନ୍ଧିତ ଖବର