ବ୍ରହ୍ମପୁର : ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟା ମାମଲାରେ ପୁଲିସକୁ ଆଜି ବଡ଼ ସଫଳତା ମିଳିଛି। ବ୍ରହ୍ମପୁର ପୁଲିସ ଆଜି ରାତି ପ୍ରାୟ ସାଢ଼େ ୧୧ଟାରେ ଦୁଇ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର୍ କରିଛି। ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଆସିକାର ଗଣେଶ ନାୟକ ଓରଫ ବୁଲୁ ଓ ହୃଷୀ ପାତ୍ର ଆହତ ହୋଇଛନ୍ତି। ଉଭୟ ମନୋଜ ଜେନା ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ଆଜି ରାତିରେ ଏଏସ୍ପି ପ୍ରଭାତ କୁମାର ରାଉତରାୟ ସୂଚନା ଦେଇଛନ୍ତି। ଆହତ ବୁଲୁ ଓ ହୃଷୀଙ୍କ ଗୋଡ଼ରେ ଗୁଳି ଲାଗିଛି। ଉଭୟଙ୍କୁ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଠାରୁ ଦୁଇଟି ପିସ୍ତଲ, ତିନି ରାଉଣ୍ଡ୍ ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି। ଏ ଦୁଇ ଜଣ ପୂର୍ବରୁ ମଧ୍ୟ ଆଉ ଦୁଇଟି ହତ୍ୟା ମାମମଲାରେ ଅଭିଯୁକ୍ତ ଥିବା ପୁଲିସ କହିଛି। ଆଉ ତିନି ଜଣ ସହଯୋଗୀ ଫେରାର ହୋଇ ଯାଇଛନ୍ତି। ପୁଲିସ ସେମାନଙ୍କୁ ପିଛା କରୁଛି। ଗଣେଶ ଓରଫ ବୁଲୁ ପୂର୍ବରୁ ୨୦୧୫ ଡିସେମ୍ବରରେ ଆସିକା ପୁଲିସ ଏନ୍କାଉଣ୍ଟର୍ରେ ଆହତ ହୋଇ ପରେ ଜେଲ୍ ଯାଇଥିଲା। କିଛି ଦିନ ତଳେ ସେ ଜାମିନ୍ରେ ବାହାରେ ଥିଲା।
ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଜାତୀୟ ରାଜପଥ ପାର୍ଶ୍ବ ଅମିତ ହସ୍ପିଟାଲ ନିକଟ ଏକ ପଡ଼ିଆରେ ଏକ ଗ୍ୟାଙ୍ଗ୍ ସନ୍ଦେହଜନକ ଭାବେ କୌଣସି ଯୋଜନା ଚଳାଇଥିବା ନେଇ ପୁଲିସ ଖବର ପାଇଥିଲା। ଗୋସାଇଁ ନୂଆଗାଁ ଥାନା ଅଧିକାରୀ ସୁମିତ କୁମାର ସୋରେନ୍ ଓ ବୈଦ୍ୟନାଥପୁର ଥାନା ଏସ୍ଆଇ କୌଶିକ ମାଝି ଏକ ଟିମ୍ ନେଇ ସେଠାରେ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଅପରାଧୀମାନେ ଗୁଳି ଚଳାଇଥିଲେ। ଜବାବ୍ରେ ପୁଲିସ ଫାୟାରିଂ କରିଥିଲା। ଏଥିରେ ଗଣେଶ ଓ ହୃଷୀ ଆହତ ହୋଇଥିଲେ। ଅନ୍ୟ ୩ଜଣ ଅପରାଧୀ ଘଟଣାସ୍ଥଳରୁ ବାଇକ୍ରେ ଚିକିଟି ଦିଗରେ ଫେରାର୍ ହୋଇ ଯାଇଥିଲେ। ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ବୋଲି ଏଏସ୍ପି ରାଉତରାୟ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/encounter-1.jpg)