କଟକରେ ଡବଲ୍‌ ଏନ୍‌କାଉଣ୍ଟର, ୨ ଗୁରୁତର

୨ ମାଉଜର୍‌, ୧୫ ରାଉଣ୍ଡ ଗୁଳି, ୧୨ ମୋବାଇଲ୍‌ ଜବତ
ଗ୍ୟାଙ୍ଗଷ୍ଟର୍‌ ମଙ୍ଗୁ ସମେତ ତିନି ଫେରାର

କଟକ/ଫୁଲନଖରା : କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀରେ ହୋଲି ଦିନ ଗୁଳିମାଡ଼ ଘଟଣାକୁ ନେଇ ଆଜି ବିଳମ୍ବିତ ରାତିରେ ପୁଲିସ ଡବଲ୍‌ ଏନ୍‌କାଉଣ୍ଟର୍‌ କରିଛି । ତପୁ ଓରଫ ପ୍ରଶାନ୍ତ କୁମାର ଦାସ ଗ୍ୟାଙ୍ଗ୍‌ର ଦୁଇ ବିଶ୍ୱସ୍ତ ଦୁର୍ଦ୍ଦାନ୍ତ ଅପରାଧୀ ଏନ୍‌କାଉଣ୍ଟର୍‌ର ଶୀକାର ହୋଇଛନ୍ତି। ଭାଣପୁରର ମଙ୍ଗୁ ଓରଫ ମନୋଜ କୁମାର ମହାରଣା(୩୩) ଏବଂ ଗଞ୍ଜାମ ବ୍ରହ୍ମପୁରର ଟାଡ଼ିଆ ଓରଫ ଲିପୁ ଓରଫ ସୁଧାକର ପାତ୍ର(୩୧) ପୁଲିସ ସହିତ କୁଆଖାଇ ନଦୀ ନିକଟରେ ମୁହାଁମୁହିଁ ବେଳେ ପୁଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଫୁଟେଇଥିଲେ। ପୁଲିସର ପାଲଟା ଗୁଳି ଚାଳନାରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଥିଲେ। ଉଭୟଙ୍କୁ ପୁଲିସ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରିଛି। ମଙ୍ଗୁ ନିକଟରୁ ଗୋଟିଏ ଆମେରିକୀୟ ୯ ଏମ୍‌ଏମ୍‌ ମାଉଜର୍‌, ମାଗାଜିନ୍‌, ୮ ରାଉଣ୍ଡ ୯ ଏମ୍‌ଏମ୍‌ ଗୁଳି, ୧୦ଟି ମୋବାଇଲ୍‌ ଫୋନ୍‌, ନଗଦ ୬ ହଜାର ଟଙ୍କା ଏବଂ ଟାଡ଼ିଆ ନିକଟରୁ ଗୋଟିଏ ୯ ଏମ୍‌ଏମ୍‌ ଆମେରିକାନ ମାଉଜର୍‌, ମାଗାଜିନ୍‌, ୯ ଏମ୍‌ଏମ୍‌ ୭ ରାଉଣ୍ଡ ଗୁଳି, ଦୁଇଟି ମୋବାଇଲ୍‌ ଫୋନ୍‌ ଏବଂ ଦୁଇଟି ନମ୍ବରବିହୀନ ବାଇକ୍‌ (ଟିଭିଏସ୍‌ ଆପାଚି ଏବଂ ବଜାଜ୍‌ ଆଭେଞ୍ଜର) ପୁଲିସ ଜବତ କରିଥିବା ସୂଚନା ମିିଳିଛି ।

ପ୍ରକାଶଯୋଗ୍ୟ ଯେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ଅଞ୍ଚଳରେ ହୋଲି ଦିନ ଘଟିଥିବା ଗୁଳିମାଡ଼ ଘଟଣାରେ ପୁଲିସ ଗତକାଲି ଧାନଘରପଡ଼ା ଗ୍ରାମର ପୁପୁନ ଓରଫ ସ୍ମୃତିରଂଜନ ପ୍ରଧାନକୁ ଗିରଫ କରିଥିଲା। ଏହାପରେ ଗତକାଲି ରାତି ପ୍ରାୟ ୩ଟା ବେଳେ ଦୁଇଟି ଆପାଚି ଓ ଆଭେଞ୍ଜର ବାଇକ୍‌ରେ ମଙ୍ଗୁ ଓ ଟାଡ଼ିଆ ପ୍ରତାପନଗରୀର ଅଭିଯୋଗକାରୀଙ୍କ ଘରକୁ ଧମକ ଦେବାକୁ ଯାଉଥିବା ପୁଲିସ ଖବର ପାଇଥିଲା। ଏହି ଖବର ଆଧାରରେ ସଦର ଥାନା ଦାୟିତ୍ୱରେ ଥିବା ଏସିପି ଦେବଦତ୍ତ କର ଏବଂ ସ୍ପେଶାଲ ସ୍କ୍ଵାଡ୍‌ ଏସିପି ପ୍ରମୋଦ ରଥଙ୍କ ନେତୃତ୍ୱରେ ଏକ ଆଠ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇଥିଲା । ଏଥିରେ ସ୍ପେଶାଲ ସ୍କ୍ଵାଡ୍‌ର ଦୁଇ ଜଣ କର୍ମଚାରୀଙ୍କ ସମେତ ଏସ୍‌ଆଇ କୃପାସିନ୍ଧୁ ବରାଡ଼ ଏବଂ ଏଏସ୍‌ଆଇ ଅଶୋକ ପାତ୍ର ସାମିଲ ହୋଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଦୁଇ ଦୁର୍ବୃତ୍ତ ମଙ୍ଗୁ ଏବଂ ଟାଡ଼ିଆକୁ ପୁଲିସ କାବୁ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ଉଭୟ ପୁଲିସ ଉପରକୁ ଗୁଳିମାଡ଼ କରିବାରୁ କୃପାସିନ୍ଧୁ ନିଜ ସର୍ଭିସ ପିସ୍ତଲରୁ ମଙ୍ଗୁକୁ ଗୁଳି ମାଡ଼ କରିବାରୁ ତା’ର ଦୁଇ ଗୋଡ଼ରେ ଗୁଳି ବାଜିଥିଲା ।

ସେହିପରି ଅଶୋକ ନିଜ ସର୍ଭିସ୍‌ ପିସ୍ତଲ୍‌ରୁ ଲିପୁକୁ ଲକ୍ଷ୍ୟ କରି ଏକ ରାଉଣ୍ଡ ଗୁଳି ଚାଳନା କରିବାରୁ ଲିପୁର ବାମ ଗୋଡ଼ରେ ଗୁଳି ବାଜିଥିଲାା ଗତକାଲି ପୁଲିସ ଗିରଫ ଅଭିଯୁକ୍ତ ପୁପୁନ୍‌କୁ ଜେରା କରିବା ସମୟରେ ସେ ଆହୁରି ଦୁଇ ଜଣଙ୍କ ସମ୍ପର୍କରେ ପୁଲିସକୁ ସୂଚନା ଦେଇଛି । ପୁଲିସ ସେମାନଙ୍କୁ ଧରିବାକୁ ତନାଘନା ଚଳାଇଛି । ତେବେ ହୋଲି ଦିନ ଗୁଳିମାଡ଼ ଘଟଣାରେ ପୁପୁନ୍‌ ସମେତ ୬ ଜଣଙ୍କ ସମ୍ପୃକ୍ତି ଥିବା ପୁଲିସ ଆଜି ସ୍ପଷ୍ଟ ହୋଇଛି । ଦୁର୍ଦ୍ଦାନ୍ତ ଅପରାଧୀ କନ୍ଦରପୁର ନିମେଇଶାପୁର ଅଞ୍ଚଳର ତପୁ ଦାସ ଏବଂ ତା’ ଦୁଇ ସହଯୋଗୀ ଫେରାର ଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର