ଚିରଂଜୀବୀ କର
କଟକ: ଚୌଦ୍ବାର ସର୍କଲ ଜେଲ୍‌ରୁ ଦୁଇ କୁଖ୍ୟାତ ବିହାରୀ ଅପରାଧୀ ଫେରାର ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମାନ ସ୍ଥିତି ହେଇଥିଲା ୧୯୭୬ରେ। ୪୯ ବର୍ଷ ତଳେ ରାଉରକେଲା ଜେଲ୍‌ରୁ ଫେରାର ହୋଇଯାଇଥିଲା ଦେଶର ମୋଷ୍ଟ ଵାଣ୍ଟେଡ୍ ଅପରାଧୀ ସଦାଲାଲ୍ ଗୁପ୍ତା। ପାଖାପାଖି ୮ରୁ ଅଧିକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ସଦାଲାଲ୍ ଓଡ଼ିଶା ପୁଲିସ ଦ୍ବାରା ଗିରଫ ପରେ ରାଉରକେଲା ଜେଲ୍‌ରେ ସଜା କାଟୁଥିଲା। କିନ୍ତୁ ଜେଲ୍‌ ସୁରକ୍ଷାକର୍ମୀଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗି ସେ ଫେରାର ହୋଇଯାଇଥିଲା। ଗଲା ୯ ବର୍ଷ ଭିତରେ ଓଡ଼ିଶାର ବିଭିନ୍ନ ଜେଲ୍‌ରୁ ୬୭ ଜଣ ବିଚାରାଧୀନ ଓ ଦୋଷୀ ସାବ୍ୟସ୍ତ କଏଦୀ ଫେରାର ହୋଇଯାଇଛନ୍ତି। 

Advertisment

ଦେଶରେ ଜରୁରୀ ପରିସ୍ଥିତି ଲାଗୁ ହେବା ପୂର୍ବରୁ ଉତ୍ତରପ୍ରଦେଶର ସଦାଲାଲ୍ ଗୁପ୍ତା ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଥିଲା। ସଦାଲାଲ୍ ଓଡ଼ିଶା ସମେତ ପଡ଼ୋଶୀ ବିହାର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ରାଜ୍ୟ ପୁଲିସ ରେକର୍ଡରେ ମୋଷ୍ଟ ଵାଣ୍ଟେଡ୍‌ ଥିଲା। ତାକୁ କୌଣସି ରାଜ୍ୟ ପୁଲିସ ବାନ୍ଧି ପାରୁନଥିଲେ। ଶେଷରେ ଓଡ଼ିଶା ପୁଲିସ ଦ୍ବାରା ଗିରଫ ପରେ ୨ଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାଉରକେଲା ଜେଲ୍‌ରେ ସଜା କାଟୁଥିଲା। ସେ ସମୟରେ ତା’ ବିରୋଧରେ ଆହୁରି ୫ଟି ମାମଲା କୋର୍ଟର ବିଚାରାଧୀନ ଥିଲା। ୧୯୭୬ ମସିହା ଜରୁରିକାଳୀନ ପରିସ୍ଥିତି ସମୟରେ ସଦାଲାଲ ସମେତ ଏକାଧିକ କଏଦୀ ରାଉରକେଲା ଜେଲ୍‌ରୁ ଫେରାର ହୋଇଯାଇଥିଲେ।

ସଦାଲାଲକୁ ବାଦ୍ ଦେଲେ ଅନ୍ୟ ସମସ୍ତ କଏଦୀଙ୍କୁ ପୁଲିସ କାବୁ କରିଥିଲା। ଏହି ଘଟଣା ପରେ କାରାଗାର ବିଭାଗରେ ସଂସ୍କାର ହୋଇଥିଲା। ଜଣେ ପୁଲିସ ଅଫିସରଙ୍କୁ କାରାଗାରା ବିଭାଗ ଆଇଜି ଭାବେ ଦାୟିତ୍ବ ଦିଆଯାଇଥିଲା। ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ କାରାଗାର ବିଭାଗ ଆଇଜି ଦାୟିତ୍ବରେ ରହୁଥିଲେ। ପ୍ରଥମ ପୁଲିସ ଅଫିସର ଭାବେ ଏ.ବି. ତ୍ରିପାଠୀ ଦାୟିତ୍ବ ଗ୍ରହଣ କରିଥିଲେ। ଵାର୍ଡରଙ୍କୁ ପୁଲିସ ଟ୍ରେନିଂ ସ୍କୁଲରେ ତାଲିମ ଦିଆଯାଇଥିଲା। ଏହା ପରଠାରୁ ଜେଲ୍ ଭାଙ୍ଗି ଫେରାର ହେବା ଘଟଣା ଅନେକ ମାତ୍ରାରେ ରୋକାଯାଇ ପାରିଥିଲା। ୨୦୦୦ରେ କୋଦଳା ଓ ଖଲିକୋଟ ଜେଲ୍‌ରୁ ଜଣେ ଅପରାଧୀ ବିଭିନ୍ନ ସମୟରେ ତିନି ଥର ଫେରାର ହୋଇଯାଇଥିଲା। ଏବେ ଚୌଦ୍ବାର ସର୍କଲ ଜେଲ୍‌ରୁ ଗଲା ୩ ତାରିଖ ରାତିରେ କୁଖ୍ୟାତ ଅପରାଧୀ ବିହାର ବେଗୁସରାଇର ରାଜା ସାହାଣୀ ଓ ସାରଣର ମଧୁକାନ୍ତ କୁମାର ଫେରାର ହୋଇଯାଇଥିଲେ। କମିସନରେଟ୍ ପୁଲିସ ସେମାନଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲେ ସୁଦ୍ଧା ପତ୍ତା ମିଳୁନାହିଁ। ଏହି ଦୁଇ ଅପରାଧୀ ଜାନୁଆରି ୪ରେ ଯାଜପୁରଜିଲ୍ଲା ପାଣିକୋଇଲିରେ ଥିବା ପଣ୍ଡା ଅଳଙ୍କାରରୁ ଲୁଟ୍ ଓ ଦୁଇ ଜଣଙ୍କୁ ହତ୍ୟା ଘଟଣାରେ ସାମିଲ ଥିଲେ। 

ରାଜ୍ୟ କାରାଗାର ବିଭାଗର ତଥ୍ୟ ଅନୁଯାୟୀ, ୨୦୨୩ରେ ୬ ଜଣ ଜେଲ୍‌ରୁ ଚମ୍ପଟ ମାରିଥିବା ବେଳେ ୨୦୨୨ରେ ୭ ଜଣ, ୨୦୨୧ରେ ୭ ଜଣ, ୨୦୨୦ରେ ୪ ଜଣ, ୨୦୧୯ରେ ୧୨ ଜଣ, ୨୦୧୮ରେ ୧୦ ଜଣ, ୨୦୧୭ରେ ୫ ଜଣ, ୨୦୧୬ରେ ୧୦ ଜଣ, ୨୦୧୫ରେ ୬ ଜଣ କଏଦୀ ରାଜ୍ୟର ବିଭିନ୍ନ ଜେଲ୍‌ରୁ ଫେରାର ହୋଇଯାଇଛନ୍ତି। ଗଲା ୯ ବର୍ଷରେ ଫେରାର ହୋଇଥିବା ଏହି ଅପରାଧୀଙ୍କ ମଧ୍ୟରୁ ଅନେକଙ୍କର ଏଯାଏଁ ପତ୍ତା ମିଳିପାରି ନାହିଁ। ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କ କହିବା ଅନୁଯାୟୀ, ଜେଲ୍ ଵାର୍ଡରଙ୍କ ବିନା ସହଯୋଗରେ କଏଦୀ ଜେଲ୍‌ରୁ ଖସିବା ସମ୍ଭବପର ନୁହେଁ। ଚୌଦ୍ବାର ସର୍କଲ ଜେଲ୍‌ରେ ଯେଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି, ଏଠାରୁ ଦୁଇ କୁଖ୍ୟାତ ଅପରାଧୀ ଖସିଯିବା ଚିନ୍ତାଜନକ।