୨୪ ଘଣ୍ଟାରେ ୨ ହାଜତ ମୃତ୍ୟୁ : ବାଡ଼େଇ ମାରିଦେଲେ! ପୁରୀରେ ପୁଲିସ-ଜନତା ଧସ୍ତାଧସ୍ତି

ଧସ୍ତାଧସ୍ତି ବେଳେ ଗୁରୁତର ହୋଇଥିଲେ ରମେଶ: ଏସ୍‌ପି
ପରିବାର ଲୋକଙ୍କୁ ନ ଜଣାଇ ଅନ୍ତିମସଂସ୍କାର କରିଦେଲେ

ପୁରୀ : ପୁରୀ ବାସେଳିସାହି ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଛି। ଜନୈକ ଯୁବକଙ୍କୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଥିବା ମୃତକଙ୍କ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି। ମୃତ‌ ଯୁବକ ଲୋକନାଥ ରୋଡ୍‌ ଫାଦର ସ୍କୁଲ ନିକଟର କେ. ରମେଶ(୩୧)। ରମେଶଙ୍କ ଦେହସାରା ମାଡ଼ ଦାଗ ରହିଥିବାବେଳେ ନୋଳା ଫାଟି ରକ୍ତ ଜମାଟ ବାନ୍ଧିଥିବା ଦେଖିବାକୁ ମିଳିଛି। ମାଡ଼ରେ ଦେହସାରା ସିଝି କଳା ପଡ଼ିଯାଇଛି। ଏହାକୁ କେନ୍ଦ୍ରକରି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପୁଲିସର ଏଭଳି ବର୍ବରତା ବିରୋଧରେ ପରିବାର ଲୋକଙ୍କ ସହ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ବାସେଳିସାହି ଥାନା ଅଧିକାରୀଙ୍କ ସହ ସଂପୃକ୍ତ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏହାକୁ ନେଇ ପୁଲିସ-ଜନତା ଧସ୍ତାଧସ୍ତି ହୋଇଛନ୍ତି। ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଅନ୍ୟପଟେ ପରିବାର ଲୋକଙ୍କ ଆଗୋଚରରେ ପୁଲିସ ମୃତଦେହକୁ ପୋଡ଼ି ଦେଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ହାଜତ ମୃତ୍ୟୁ ଘଟଣାରେ ପୁରୀ ଜିଲ୍ଲା ଓକିଲ ସଂଘ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ଆଜି ସଂଧ୍ୟାରେ ବିଜେପିର ବହୁ ବିଧାୟକ ଆରକ୍ଷୀ ଅଧୀକ୍ଷକଙ୍କ ସହ ଏ ସଂପର୍କରେ ଆଲୋଚନା କରିଛନ୍ତି। ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।

ପରିବାର ଲୋକ ଓ ସଂପର୍କୀୟଙ୍କ ଅଭିଯୋଗ ମୁତାବକ, ଗତକାଲି ଅପରାହ୍ଣ ୨ଟାରେ ପୁରୀ ପୁଲିସର ଏକ ୧୦ ଜଣିଆ ଟିମ୍‌ ଘରକୁ ଆସି ରମେଶଙ୍କୁ ଖୋଜିଥିଲେ। ରମେଶ ଘର ବାହାରକୁ ଆସିବା ପରେ ଜୋର ଜବରଦସ୍ତ ଗାଡ଼ିରେ ବସାଇ ଥାନାକୁ ନେଇ ଯାଇଥିଲେ। କେଉଁ କାରଣ ପାଇଁ ଥାନାକୁ ‌ନେଉଛ ପଚାରିବାରେ କୌଣସି ଜବାବ ରଖି ନ ଥିଲେ। ପରେ ବିଳମ୍ବିତ ରାତିରେ ପୁଲିସର ଆଉ ଏକ ଟିମ୍‌ ଆସି ରମେଶଙ୍କ ଘର ଲୋକଙ୍କୁ ଉଠାଇ ନେଇଥିଲା। ଗତକାଲି ଠାରୁ ରମେଶଙ୍କ ମୃତ୍ୟୁ ହୋଇ ସାରିଥିବାବେଳେ ପରିବାର ଲୋକଙ୍କୁ ଏ ସଂପର୍କରେ ଅନ୍ଧାରରେ ରଖାଯାଇଥିଲା। ବାପା, ମା’ ଓ ଅନ୍ୟ ପରିବାର ସଦସ୍ୟଙ୍କୁ ଅଜ୍ଞାତ ସ୍ଥାନରେ ରଖାଗଲା। ଆଜି ସକାଳେ ଖବର ପାଇ ପରିବାରର ଅନ୍ୟ ସଦସ୍ୟ ଓ ସଂପର୍କୀୟମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଲା ବେଳକୁ ମୃତଦେହକୁ ଦେଖାଇ ଦିଆଗଲାନି। ସେପଟେ ରମେଶଙ୍କ ମୃତ ଫଟୋରୁ ସ୍ପଷ୍ଟ ଜଣାପଡ଼ୁଛି କି ତାଙ୍କ ଦେହରେ ଅନେକ ମାଡ଼ ଦାଗ ରହିଛି। ଖଣ୍ଡିଆଖାବରା ଦାଗ ସହ ଦେହସାରା ନୋଳା ଫାଟିଯାଇଛି। ଯେତେବେଳେ ମୃତଦେହକୁ ଦେଖାଇବାକୁ ଦାବି ଉଠିଲା, ସେତେବେଳେ ଲୁଚାଛପାରେ ରମେଶଙ୍କ ମୃତଦେହକୁ ପୋଡ଼ି ଦିଆଗଲା। କାହାକୁ ସ୍ବର୍ଗଦ୍ବାରରେ ଶବ ସତ୍କାର କରାଗଲା ବୋଲି କୁହାଗଲା ତ’ ଆଉ କାହାକୁ ଅନ୍ୟ ଠିକଣା ଦିଆଗଲା। ପୁଲିସ ରମେଶଙ୍କୁ ଘରୁ ନେବାବେଳେ ସେ ସଂପୂର୍ଣ୍ଣ ସୁସ୍ଥ ରହିଥିଲେ। ହଠାତ୍‌ କିପରି ତାଙ୍କର ମୃତ୍ୟୁ ହେଲା ବୋଲି ପରିବାର ଲୋକେ ପ୍ରଶ୍ନ କରିଛନ୍ତି। ରମେଶଙ୍କ ଦେହରେ ଏତେ ମାଡ଼, ଖଣ୍ଡିଆ ଦାଗ କେଉଁଠୁ ଆସିଲା ତାର ଜବାବ ମାଗିଛନ୍ତି। ରମେଶଙ୍କୁ ଥାନାରେ ପିଟି ପିଟି ମାରି ଦିଆଯିବା ପରେ ଏହାକୁ ଅନ୍ୟ ରୂପ ଦିଆଯାଉଛି ବୋଲି ପରିବାର ଓ ସଂପର୍କୀୟମାନେ ସିଧାସଳଖ ଅଭିଯୋଗ କରିଛନ୍ତି।

ଏହା ବିରୋଧରେ ବିଜେପି ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଧାରଣା ଦେବା ସହ ନାରାବାଜି କରିଛି। କଂଗ୍ରେସ ବି ଏହା ବିରୋଧରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ଯଦି ନ୍ୟାୟ ନ ମିଳେ ଓ ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହୁଏ, ଉଭୟ ବିଜେପି ଓ କଂଗ୍ରେସ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଚେତାବନୀ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ବିଧାନସଭା ଘେରାଉ କରାଯିବ ବୋଲି କହିଛନ୍ତି। ଏହା ବିରୋଧରେ ଜିଲ୍ଲା କଂଗ୍ରେସ ଆଇନର ଆଶ୍ରୟ ନେବ ବୋଲି କହିଛି। ଆବଶ୍ୟକ ପଡ଼ିଲେ ହାଇକୋର୍ଟ, ସୁପ୍ରିମକୋର୍ଟ ଯିବାକୁ ପଛାଇବ ନାହିଁ ବୋଲି ଦଳ କହିଛି। ସେପଟେ ପୁରୀ ଆରକ୍ଷୀ ଅଧୀକ୍ଷକ ଅଖିଳେଶ ସିଂ ହାଜତ ମୃତ୍ୟୁ ଘଟଣାକୁ ଖଣ୍ଡନ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ସିଂ କହିଛନ୍ତି, ରମେଶ ନାଁରେ ଅନେକ ଅପରାଧିକ ମାମଲା ରହିଛି। ପୁରୀ ଜିଲ୍ଲାର ବିଭିନ୍ନ ଥାନା ସମେତ ବାହାର ଜିଲ୍ଲାରେ ବି ଅନେକ ଥାନାରେ ମାମଲା ଗଡ଼ୁଛି। ନିକଟରେ ବନ୍ଧୁକ ମୁନରେ ସେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ୭ଟା ସମୟରେ ଭୁବନେଶ୍ବରରୁ ପୁରୀ ଫେରିବା ବାଟରେ ପୁଲିସ ରମେଶକୁ ଧରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ପୁଲିସ ସହ ଧସ୍ତାଧସ୍ତି କରି ରମେଶ ଖସିଯିବାକୁ ଚେଷ୍ଟା କରୁଥିବାବେଳେ ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ବାସେଳିସାହି ଥାନା ଓ ପରେ ରାତି ପ୍ରାୟ ୮ଟାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ‌ହୋଇଥିଲା। ରମେଶଙ୍କ ଆକ୍ରମଣରେ ଦୁଇ ତିନି ଜଣ ପୁଲିସ ଆହତ ହୋଇଥିବା ଶ୍ରୀ ସିଂ କହିଛନ୍ତି। ଏ ସଂପର୍କରେ ବାସେଳିସାହି ଥାନାରେ ୩୧୮/୨୦(ଦଫା- ୩୦୭, ୩୪୧ ଓ ୩୨୩) ଏକ ମାମଲା ରୁଜୁ ହୋଇଥିବା ଶ୍ରୀ ସିଂ କହିଛନ୍ତି। ତଥାପି ଏହି ଘଟଣାକୁ ଆମେ ହାଜତ ମୃତ୍ୟୁ ମାମଲା ଭଳି ତଦନ୍ତ କରିବୁ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କ ସହ ଅନ୍ୟ ଅଧିକାରୀମାନେ ଏହାର ତଦନ୍ତ କରିବେ। ଯିଏ ଦୋଷୀ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସିଂ କହିଛନ୍ତି। ସେପଟେ ବାସେଳିସାହି ଥାନା ଅଧିକାରୀଙ୍କ ଘଟଣାରେ ସଂପୃକ୍ତି ନାହିଁ। ସେ ୧୫ ଦିନିଆ ଛୁଟିରେ ଥିବା ଶ୍ରୀ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର