ଜଙ୍ଗଲ ପାଇଁ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କର: ମୁଖ୍ୟମନ୍ତ୍ରୀ

ବନଖଣ୍ଡ ଅଧିକାରୀଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍‌ଘାଟିତ

ଭୁବନେଶ୍ବର : ଓଡ଼ିଶାରେ ଜଙ୍ଗଲ ପରିସୀମା ବୃଦ୍ଧି ପାଇଛି। ଦେଶରେ ସର୍ବାଧିକ ହେନ୍ତାଳ ବଣ ଯୋଡ଼ିବାରେ ଓଡ଼ିଶା ଆଗରେ ରହିଛି। ୨୦୧୯ରୁ ୨୦୨୧ ମଧ୍ୟରେ ଜଙ୍ଗଲ ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଦେଶରେ ତୃ୍ତୀୟ ସ୍ଥାନ ଅଧିକାର କରିଛି। ସ୍ଥାନୀୟ ଲୋକ, ବନ ସୁରକ୍ଷା ସମିତି ସଦସ୍ୟଙ୍କ ନିରନ୍ତର ସମର୍ଥନ ଓ କ୍ଷେତ୍ର ଜଙ୍ଗଲ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଏହା ସମ୍ଭବପର ହୋଇଛି। ଲୋକସେବା ଭବନରେ ଡିଏଫ୍‌ଓମାନଙ୍କ ଦୁଇଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆଗାମୀ ବର୍ଷରେ ଜଙ୍ଗଲର ଉନ୍ନତି ସହ ସୀମାନ୍ତ ଗ୍ରାମବାସୀଙ୍କ ଜୀବନଧାରଣର ବିକାଶ ପାଇଁ ଏକ ପୂର୍ଣ୍ଣାଙ୍ଗ ରୂପରେଖ ପ୍ରସ୍ତୁତ କରିବାକୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଜଙ୍ଗଲରେ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ବୃକ୍ଷରୋପଣ ଏକ ପ୍ରମୁଖ ଉପାଦାନ। ଜଙ୍ଗଲ ବିଭାଗ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଯୋଡ଼ିବା ସହ ୫-ଟି କାର୍ଯ୍ୟକ୍ରମ ଅଧୀନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେବାର ଆବଶ୍ୟକତା ରହିଛି। ଏହା ସ୍ବଚ୍ଛତା, ସମୟାନୁବର୍ତ୍ତିତା ଆଣିବ। ସମସ୍ତ ହିତାଧିକାରୀଙ୍କ ମଧ୍ୟରେ ଏକାଠି ହୋଇ କାର୍ଯ୍ୟକୁ ଉତ୍ସାହିତ କରିବ। ମିଳିତ ବନ ପରିଚାଳନା, ଓଡ଼ିଶା ବନ ବିଭାଗ ବିକାଶ ପ୍ରକଳ୍ପ ଭଳି ଅନେକ କାର୍ଯ୍ୟକ୍ରମ ଜୀବିକା ନିର୍ବାହ ତଥା ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବାରେ ସଫଳ ହୋଇଛି। ମଣିଷ-ହାତୀ ବିବାଦ, ବନ୍ୟଜନ୍ତୁ ଚୋରାଚାଲଣ, ଜଙ୍ଗଲ ଅଗ୍ନିକାଣ୍ଡ ଭଳି ଘଟଣାକୁ ସମ୍ପୂର୍ଣ୍ଣ ହ୍ରାସ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯିବାର ଆବଶ୍ୟକତା ରହିଛି। ଜଙ୍ଗଲ ପରିଚାଳନାରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରିବାରେ ଓଡ଼ିଶାର ଏକ ଅଗ୍ରଣୀ ରାଜ୍ୟ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଛନ୍ତି।

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ବହୁ କ୍ଷେତ୍ରରେ ସଫଳତା ମିଳିଛି। ଗତବର୍ଷ ଅପେକ୍ଷା ଏଥର ଜଙ୍ଗଲ ନିଆଁ ପ୍ରାୟ ୫୦ ପ୍ରତିଶତ କମିଛି। ରାଜ୍ୟର ୨୪ବନଖଣ୍ଡରେ ୮୬ ରେଞ୍ଜରେ ହାତୀ ଯାତାୟାତ କରୁଥିବାରୁ ଲୋକଙ୍କୁ ସଚେତନ କରିବାକୁ ଗଜସାଥୀ ନିୟୋଜିତ ହୋଇଛନ୍ତି। ମୋବାଇଲ ମେସେଜ୍‌ ମାଧ୍ୟମରେ ହାତୀ ଚଳାଚଳ ନେଇ ସୂଚନା ଦିଆଯାଉଛି। ୨୦୧୬-୧୭ରୁ ଆରମ୍ଭ ହୋଇଥିବା ପରିବେଶ ପର୍ଯ୍ୟଟନ ଭିତ୍ତିଭୂମି ଉନ୍ନତୀକରଣ ମାଧ୍ୟମରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ କରାଯାଇଛି। ୨୦୨୧-୨୨ରେ ୭୦ ହଜାର ୨୧୬ ପର୍ଯ୍ୟଟକ ଏଠାକୁ ଆସିଛନ୍ତି।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଯୋଗଦେଇ କହିଲେ, ଜଙ୍ଗଲ ଓ ବନ୍ୟଜନ୍ତୁ ସଂରକ୍ଷଣର ସାଧାରଣ କାର୍ଯ୍ୟ ବ୍ୟତୀତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଇଁ ଜୀବିକା ନିର୍ବାହ କରୁଥିବା ପ୍ରକଳ୍ପଗୁଡ଼ିକୁ ସୁଗମ କରିବା ଦିଗରେ ବିଭାଗର ବଡ଼ ଭୂମିକା ରହିଛି। ଗତ ୨୦ରୁ ୨୫ବର୍ଷ ମଧ୍ୟରେ ରାଜ୍ୟରେ ସବୁଜିମା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ମୋନା ଶର୍ମା ସ୍ୱାଗତ ଭାଷଣ ଦେଇଥିବା ବେଳେ ପିସିସିଏଫ୍ ଶିଶିର କୁମାର ରଥ ଧନ୍ୟବାଦ ଦେଇଥିଲେ। ଜଙ୍ଗଲରେ ଅଗ୍ନି ପରିଚାଳନା ଉପରେ ଏକ ସଂକ୍ଷିପ୍ତ ଭିଡ଼ିଓ ସ୍କ୍ରିନ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର