ଉତ୍ତମ ପ୍ରଶାସନ ଅର୍ଥ ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : କେନ୍ଦ୍ର ସରକାର ‘ସର୍ବନିମ୍ନ ସରକାର-ସର୍ବାଧିକ ପ୍ରଶାସନ’ ଦୃଷ୍ଟିକୋଣ ସହିତ ପ୍ରଶାସନିକ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛନ୍ତି। ଉତ୍ତରଦାୟୀ ପ୍ରଶାସନ ସହିତ ପ୍ରଯୁକ୍ତି ବିଦ୍ୟାର ଅଧିକ ବ୍ୟବହାର କରି ନାଗରିକଙ୍କ ଜୀବନରେ ସରକାରୀ ହସ୍ତକ୍ଷେପ କମ୍ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ମଡେଲରେ ନାଗରିକଙ୍କୁ ଗୁରୁତ୍ବ ଦିଆଯାଉଛି। ତେଣୁ ପ୍ରଶାସନିକ କ୍ଷେତ୍ରରେ ରାଜ୍ୟମାନେ ପରସ୍ପରର ଶ୍ରେଷ୍ଠ ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା ଉଚିତ୍। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ଦ୍ବାରା ଅଣାଯାଇଥିବା ପରିବର୍ତ୍ତନ ରାଜ୍ୟ ଓ ଜିଲ୍ଲାସ୍ତରରେ ପ୍ରତିଫଳିତ ହେବ ବୋଲି କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ, ସାଧାରଣ ଅଭିଯୋଗ ଏବଂ ପେନସନ ପ୍ରଶାସନ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।
ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ‘ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନ’ ଉପରେ ଆୟୋଜିତ ଏକ ଦୁଇଦିନିଆ ଆଞ୍ଚଳିକ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ହେଉଛି ଏକ ଦୁର୍ନୀତିମୁକ୍ତ ଏବଂ ସ୍ବଚ୍ଛ ପ୍ରଶାସନ ଯୋଗାଇ ଦେବା। ତେଣୁ ପ୍ରଶାସନିକ ବ୍ୟବସ୍ଥାରେ ଗତ କିଛି ବର୍ଷ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଅଣାଯାଇଛି। ୭ବର୍ଷ ତଳେ ବାର୍ଷିକ ପାଖାପାଖି ଦୁଇ ଲକ୍ଷ ଅଭିଯୋଗ ଆସୁଥିଲା। ବର୍ତ୍ତମାନ ଏହା ପ୍ରାୟ ୬ଗୁଣା ବୃଦ୍ଧି ପାଇଛି। ଏପରିକି ବିଭିନ୍ନ ବିଭାଗରେ ଅଭିଯୋଗ ସମାଧାନ ହାର ୯୫ରୁ ୧୦୦% ରହିଛି। ଯାହାକି ସରକାର ପାଇଁ ସନ୍ତୋଷର ବିଷୟ। ସାଧାରଣ ଅଭିଯୋଗର ସମାଧାନ ଲାଗି ଭାରତ ସରକାର ସିପିଗ୍ରାମ୍ସ ଭଳି ଉତ୍ତମ ପ୍ରାଶାସନିକ ପଦକ୍ଷେପ ଗ୍ରହଣ କରିଛନ୍ତି। ୨୦୨୦-୨୧ରେ ୧୨ଟି ରାଜ୍ୟ ପୋର୍ଟାଲକୁ ସିପିଗ୍ରାମ୍ସ ସହିତ ଯୋଡ଼ା ଯାଇଛି। ଏକ ପୋର୍ଟାଲ ରାଷ୍ଟ୍ର ଲକ୍ଷ୍ୟ ହାସଲ ଦିଗରେ କେନ୍ଦ୍ରୀକୃତ ସାଧାରଣ ଅଭିଯୋଗ ସମାଧାନ ଏବଂ ଅନୁଧ୍ୟାନ ବ୍ୟବସ୍ଥା (ସିପିଗ୍ରାମ୍ସ)କୁ ରାଜ୍ୟ ଅଭିଯୋଗ ପୋର୍ଟାଲଗୁଡ଼ିକ ସହିତ ସମନ୍ବିତ କରାଯାଇଛି। ଏହାଦ୍ବାରା ଅଭିଯୋଗ ଗ୍ରହଣ ଓ ସମାଧାନ ପ୍ରକ୍ରିୟା ବ୍ୟବସ୍ଥିତ ହେବ ବୋଲି ଶ୍ରୀ ସିଂହ କହିଥିଲେ।
/sambad/media/post_attachments/wp-content/uploads/2021/12/m18.jpg)
ଭର୍ଚୁଆଲ ମାଧ୍ୟମରେ ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ବୋଧନ ଦେଇ କହିଥିଲେ ଯେ ସାମର୍ଥ୍ୟ ବିକାଶ, ଉତ୍ତରଦାୟୀ ହେବା, ଉଚ୍ଚସ୍ତରୀୟ ନୈତିକତା ଓ ବିଶ୍ବସନୀୟତା, ସମସ୍ତ ସରକାରୀ ପଦକ୍ଷେପରେ ଲୋକାଭିମୁଖୀ ଦୃଷ୍ଟିକୋଣ ଆପଣାଇବା ଆଦି ଉତ୍ତମ ପ୍ରଶାସନର ମେରୁଦଣ୍ଡ। ଉତ୍ତମ ପ୍ରଶାସନ ହେଉଛି ବିକାଶମୂଳକ ପରିବର୍ତ୍ତନର ସର୍ବଶ୍ରେଷ୍ଠ ଉପକରଣ ଏବଂ ଆମ ସମସ୍ତଙ୍କର ଲୋକମାନଙ୍କ ପ୍ରତି ଏକ ଉତ୍ତରଦାୟିତ୍ବ। ଓଡ଼ିଶା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା କେତେକ ଶ୍ରେଷ୍ଠ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିବା ସହ କହିଥିଲେ ଯେ ଦେଶବ୍ୟାପୀ ଅଭିନବ ଉପାୟ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ବାଧାମୁକ୍ତ ବିନିମୟ କ୍ଷେତ୍ରରେ ଏହି ସମ୍ମିଳନୀ ଏକ ପ୍ରମୁଖ ଭୂମିକା ନିର୍ବାହ କରିବ। ଡିଜିଟାଲ ସରକାର ପାଇଁ ଯେଉଁ ପରିକଳ୍ପନା କରାଯାଇଛି ତାହା ସାକାର ରୂପ ନେଇପାରିବ ବୋଲି ଆଶା କରୁଛି।
ଯୋଜନା ଓ ସଂଯୋଜନ ବିଭାଗ ମନ୍ତ୍ରୀ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଶାସନିକ କ୍ଷେତ୍ରରେ ଅଧିକ ପେଶାଦାର ଆଭିମୁଖ୍ୟ ଏବଂ ଦକ୍ଷତା ଆଣିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏପରି ଏକ ସମ୍ମିଳନୀ ଆୟୋଜନ ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ ସଚିବ ସଞ୍ଜୟ ସିଂହ କହିଥିଲେ ଯେ ଏହି ଆଞ୍ଚଳିକ ସମ୍ମିଳନୀ ଉତ୍ତମ ପ୍ରଶାସନିକ ବ୍ୟବସ୍ଥାର ପ୍ରତିଫଳନର ସର୍ବୋତ୍ତମ ଉପକରଣ ଏବଂ ଶ୍ରେଷ୍ଠ ବ୍ୟବସ୍ଥାର ଦୀର୍ଘସ୍ଥାୟୀ ପ୍ରଚଳନ ସୁନିଶ୍ଚିତ କରିବା କ୍ଷେତ୍ରରେ ବିଶେଷ ସହାୟକ ହେବ।
ଏହାପୂର୍ବରୁ ଆଜି ସମ୍ମିଳନୀରେ ଦୁଇଟି ଆଲୋଚନା ଅଧିବେଶନ ଆୟୋଜନ କରାଯାଇଥିଲା। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରଥମ ଅଧିବେଶନରେ ‘ଓଡ଼ିଶାରେ ଅଭିନବ ପ୍ରଶାସନିକ ପଦକ୍ଷେପ’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଦ୍ବିତୀୟ ଅଧିବେଶନରେ ‘ଆକାଂକ୍ଷୀ ଜିଲ୍ଲା’ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଏଥିରେ ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ସ୍ବତନ୍ତ୍ର ସଚିବ କେ. ରାଜେଶ୍ବର ରାଓ ଅଧ୍ୟକ୍ଷତା କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି ଦୁଇ ଦିନିଆ ଆଞ୍ଚଳିକ ସମ୍ମିଳନୀରେ ପୂର୍ବ ଏବଂ ଉତ୍ତର-ପୂର୍ବାଞ୍ଚଳର ୧୫ଟି ରାଜ୍ୟରୁ ୫୦୦ରୁ ଅଧିକ ପ୍ରତିନିଧି ଯୋଗଦେଇଥିଲେ। ଏଥିରେ ଇ-ପ୍ରଶାସନ, ଜଳ ଏବଂ ମୃତ୍ତିକା ସଂରକ୍ଷଣ, ଆକାଂକ୍ଷୀ ଜିଲ୍ଲା ଏବଂ ଅଭିନବ ପ୍ରଶାସନିକ ପଦକ୍ଷେପ ଆଦି ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/m18-aaa.jpg)