ଭୁବନେଶ୍ବର: ଦୀପାବଳି ଅକ୍ଟୋବର ୨୦ ନା ୨୧ରେ ପାଳନ ହେବ ଦ୍ବନ୍ଦ୍ବ ଭିତରେ ରାଜ୍ୟ ସରକାର ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ ଅକ୍ଟୋବର ୨୧ରେ ଦୀପାବଳି ଛୁଟି ହେବ ବୋଲି ନିଷ୍ପତ୍ତି ହୋଇଥିଲା। ହେଲେ ଅଧିକାଂଶ ସ୍ଥାନରେ ଅକ୍ଟୋବର ୨୦ରେ ଦୀପାବଳି ପାଳନ ହେବାକୁ ଥିବାରୁ ରାଜ୍ୟ ସରକାର ଅକ୍ଟୋବର ୨୦କୁ ଅତିରିକ୍ତ ଛୁଟି ଭାବେ ଘୋଷଣା କରିଛନ୍ତି। ଏହି ଦିନ ନୂଆପଡ଼ା ଜିଲ୍ଲା ବ୍ୟତୀତ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟେରିଆଲ୍ କୋର୍ଟ ବନ୍ଦ ରହିବ।
ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ସରକାରୀ ଛୁଟି ମିଳିଛି। କିନ୍ତୁ ଅକ୍ଟୋବର ୨୫ (ଚତୁର୍ଥ ଶନିବାର)କୁ ରାଜ୍ୟ ସରକାର କାର୍ଯ୍ୟ ଦିବସ ଭାବେ ଘୋଷଣା କରିଛନ୍ତି। ରାଜସ୍ବ ବିଭାଗର ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟର ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଙ୍ଗ ସଂସ୍ଥାଗୁଡ଼ିକ ୨୦ ତାରିଖରେ ଛୁଟି ରହିବ ଏବଂ ୨୧ ତାରିଖରେ ଖୋଲା ରହିବ। ଏହି ୨୦ ତାରିଖ ଛୁଟି କିନ୍ତୁ ନୂଆପଡ଼ା ଜିଲ୍ଲାରେ ଲାଗୁ ହେବନି। ନୂଆପଡ଼ାରେ ଉପନିର୍ବାଚନ ପାଇଁ ୨୦ ତାରିଖରେ ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ମିଳିବନି। ରାଜସ୍ବ ବିଭାଗର ବିଜ୍ଞପ୍ତି ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଅକ୍ଟୋବର ୨୦ ତାରିଖକୁ ଅତିରିକ୍ତ ଛୁଟି ଭାବେ ଘୋଷଣା କରାଯାଇଛି। କିନ୍ତୁ ୨୦ ତାରିଖରେ ନୂଆପଡ଼ାରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ।