ଭୁବନେଶ୍ବର : ସମବାୟ ବ୍ୟାଙ୍କ, ଚାଷୀ ଓ ସମବାୟ ହିତାଧିକାରୀମାନେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସମସ୍ୟାରେ ଛନ୍ଦି ହୋଇ ଆର୍ଥିକ ସଂକଟ ତଥା ବୀମା କମ୍ପାନିମାନଙ୍କ ଦ୍ବାରା ନିଜର ଆର୍ଥିକ ଅଧିକାର ପାଇବାକୁ ବଞ୍ଚିତ ହେଉଛନ୍ତି। ବୀମା କମ୍ପାନି ଚାଷୀ ଓ ସମବାୟ ହିତାଧିକାରୀଙ୍କୁ ବିଭିନ୍ନ ସମୟରେ ଗୁରୁତ୍ବ ନ ଦେଇ ନିଜର ସ୍ବାର୍ଥ ସାଧନ ପାଇଁ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି। ରାଜ୍ୟର ସମବାୟ ବ୍ୟାଙ୍କଗୁଡ଼ିକୁ କିପରି ଅଧିକ ସୁଦୃଢ଼ କରାଯାଇ ସମବାୟ ହିତାଧିକାରୀଙ୍କୁ ମୁଖ୍ୟତଃ ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ଶକ୍ତିଶାଳୀ କରାଯିବ ସେଥିପାଇଁ ଦାବି ଉପସ୍ଥାପନ କରିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।

Advertisment

ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦୁଇଦିନିଆ ରାଜ୍ୟ ସମବାୟ ମନ୍ତ୍ରୀଙ୍କ ରାଷ୍ଟ୍ରୀୟ ସମ୍ମିଳନୀ ଆରମ୍ଭ ହୋଇଛି। ଏଥିରେ ଯୋଗଦେଇ ଶ୍ରୀ ନାୟକ କହିଥିଲେ, ଓଡ଼ିଶା ସରକାର ସମବାୟ ହିତାଧିକାରୀଙ୍କୁ ବିନା ସୁଧରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ରାଶି ପ୍ରଦାନ କରୁଛନ୍ତି। କେନ୍ଦ୍ରର ନୂତନ ସମବାୟ ଯୋଜନାରେ ଏଭଳି କାର୍ଯ୍ୟକ୍ରମକୁ ସ୍ଥାନ ଦିଆଯାଉ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀମାନେ ଠିକ୍ ସମୟରେ ବୀମା କମ୍ପାନିମାନଙ୍କଠାରୁ ସହାୟତା ପାଇପାରୁ ନାହାନ୍ତି। ଏହି ସମସ୍ୟାର ସମାଧାନ କରାଯିବା ଜରୁରୀ। ବୀମା କମ୍ପାନିମାନଙ୍କ ଏଭଳି ନୀତିକୁ ବନ୍ଦ କରି ସମବାୟ ହିତାଧିକାରୀମାନଙ୍କୁ ଯଥାଶୀଘ୍ର କିପରି ‌ସେମାନଙ୍କ ବୀମା ରାଶି କମ୍ପାନିମାନେ ପ୍ରଦାନ କରିବେ ସେଥିପାଇଁ ସମବାୟ ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରିବା ଉଚିତ୍। ଓଡ଼ିଶାର ଏହି ପ୍ରସଙ୍ଗ ଓ ଦାବିକୁ ଅନ୍ୟ ରାଜ୍ୟମାନେ ମଧ୍ୟ ସମର୍ଥନ ଜଣାଇଥିଲେ।

ଅଧିକ କେନ୍ଦ୍ରୀୟ ସହାୟତା ଦେବା ସହିତ ରାଜ୍ୟ ସମବାୟ ବ୍ୟାଙ୍କ ଓ ହିତାଧିକାରୀଙ୍କୁ ଅଧିକ ଶକ୍ତିଶାଳୀ କରିବା ଦିଗରେ କେନ୍ଦ୍ର ସରକାର ବଜେଟରେ ଯେଉଁ ଅର୍ଥ ବ୍ୟବସ୍ଥା ରଖିଛନ୍ତି ତାହାକୁ ଯଥାଶୀଘ୍ର ଓଡ଼ିଶାକୁ ପ୍ରଦାନ କରାଯାଉ। ଏହାସହ ସମବାୟ ବ୍ୟାଙ୍କର କମ୍ପ୍ୟୁଟରୀକରଣ କରିବା ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ନାୟକ କେନ୍ଦ୍ର ସମବାୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ବୀମା କମ୍ପାନିମାନଙ୍କ ଦାୟିତ୍ବବୋଧର ଘୋର ଅଭାବ କାରଣରୁ ଚାଷୀ ଓ ସମବାୟ ହିତାଧିକାରୀମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସଂକଟର ମୁକାବିଲା କରିବାକୁ କେନ୍ଦ୍ର କୃଷି ଓ ସମବାୟ ମନ୍ତ୍ରୀ ଉଭୟଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ପରସ୍ପର ଆଲୋଚନା କରିବାର ଜରୁରୀ। ଏଥିପ୍ରତି ବିଶେଷ ଦୃଷ୍ଟି ଦେବାକୁ ସେ ଦାବି ରଖିଛନ୍ତି।