ଦୁଇଦିନିଆ ଭାରତ ବନ୍ଦ ଆଜିଠାରୁ

ଷ୍ଟେଟ୍ ବ୍ୟାଙ୍କ ଖୋଲିବ, ଅନ୍ୟ ବ୍ୟାଙ୍କ ବନ୍ଦ ରହିବ, ବସ୍ ସେବା ସ୍ୱାଭାବିକ ରହିବ, ଦୋକାନ, ବଜାର ଖୋଲା ରହିବ

ଭୁବନେଶ୍ୱର : ଆଜିଠାରୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚର ଦୁଇ ଦିନିଆ ସର୍ବଭାରତୀୟ ଧର୍ମଘଟ ବା ଭାରତ ବନ୍ଦ ଆରମ୍ଭ ହେବ।‌ ୧୨ ଦଫା ଦାବି ନେଇ ଏହି ଧର୍ମଘଟ କରାଯାଉଛି। ରେଳ ଷ୍ଟେସନ, ବିମାନବନ୍ଦର, ଅଫିସଗୁଡ଼ିକରେ ପିକେଟିଂ, ରାଜପଥ ଅବରୋଧ ଓ ରାସ୍ତାରୋକ କରାଯିବ। ତେବେ ଧର୍ମଘଟ ଯୋଗୁଁ ବସ୍ ସେବା ପ୍ରଭାବିତ ହେବାର କମ୍ ଆଶଙ୍କା ମଧ୍ୟ ରହିଛି। ରାଜ୍ୟ ବସ୍ ମାଲିକ ସଂଘର ପ୍ରବକ୍ତା ଦେବାଶିଷ ନାୟକ କହିଛନ୍ତି ଯେ ଧର୍ମଘଟ ସହ ଆମେ କୌଣସି ପ୍ରକାରରେ ଜଡ଼ିତ ନାହୁଁ। ସୋମବାର ଦିନ ବସ୍ ସେବା ସ୍ବାଭାବିକ ରହିବ। ଯଦି କେଉଁଠାରେ ରାସ୍ତା‌ରୋକ କିମ୍ବା ଆଇନଶୃଙ୍ଖଳା ଭଳି ପରିସ୍ଥିତି ସୃଷ୍ଟି ହୁଏ, ସେଭଳି ଅଭାବନୀୟ ସ୍ଥିତିରେ ବସ୍ ସେବା ପ୍ରଭାବିତ ହୋଇପାରେ। ଅନ୍ୟଥା ସବୁ ବସ୍ ସ୍ବାଭାବିକ ଭାବେ ଚଳପ୍ରଚଳ କରିବ। ଧର୍ମଘଟ ଯୋଗୁଁ ଖୁଚୁରା ବଜାର ପ୍ରଭାବିତ ହେବ ନାହିଁ। ଦୋକାନ ବଜାର ସ୍ବାଭାବିକ ଭାବେ ଖୋଲାରହିବ ବୋଲି ଓଡ଼ିଶା ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି।

Business Today

ଏଆଇବିଓସି ଓ ନ୍ୟାସନାଲ୍ କନଫଡେରେସନ୍ ଅଫ୍ ବ୍ୟାଙ୍କ ଏମ୍ପ୍ଲଇଜ୍ (ଏନ୍‌ସିବି) ଧର୍ମଘଟରେ ସାମିଲ ହୋଇନଥିବାରୁ ଷ୍ଟେଟ୍‌ ବ୍ୟାଙ୍କର ଶାଖାଗୁଡ଼ିକ ଆଜି ଖୋଲା ରହିବ ବୋଲି ୟୁନାଇଟେଡ୍‌ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍‌ (ୟୁଏଫ୍‌ବିୟୁ)ର ସଂଯୋଜକ ରଘୁନାଥ ପ୍ରସାଦ ଦାସ କହିଛନ୍ତି। ଯେହେତୁ ଏଆଇବିଇଏ, ଆଇବିଓଏ ଓ ବେଫି ଭଳି ସଂସ୍ଥା ଧର୍ମଘଟକୁ ସମର୍ଥନ କରୁଛନ୍ତି ଓ ସବୁ ସଂଘ ଓଡ଼ିଶାରେ ସକ୍ରିୟ ରହିଛନ୍ତି ତେଣୁ ଅନ୍ୟ ସବୁ ବ୍ୟାଙ୍କଗୁଡ଼ିକ ଆସନ୍ତାକାଲି ଓ ତା’ ପରଦିନ ବନ୍ଦ ରହିବ ବୋଲି ସେ
କହିଛନ୍ତି। କିନ୍ତୁ, ଅଖିଳ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ପ୍ରକାଶ ରାୟ କହିଛନ୍ତି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଘରୋଇକରଣ ଲାଗି ସରକାର ଯେଉଁ ନୀତି ଆଣିଛନ୍ତି ତାହାକୁ ଆମେ ଦୃଢ଼ ବିରୋଧ କରୁଛୁ। ଏହି କାର୍ଯ୍ୟରୁ ବିରତ ରହିବା ଲାଗି ଆମେ ଏହି ଧର୍ମଘଟ ଜରିଆରେ ସରକାରଙ୍କୁ ଚେତାବନୀ ଦେବାକୁ ଚାହୁଛୁ।

ଆଜି ରାଜ୍ୟରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ। ଯେଉଁ ଶାଖା ଖୋଲାରହିବ ସେଠାରେ ପିକେଟିଂ କରି ବନ୍ଦ କରାଯିବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଉତ୍କଳ ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି ଯେ ଧର୍ମଘଟ ଦୁଇ ଦିନରେ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ସ୍ବାଭାବିତ ‌ଭାବେ ଖୋଲାରହିବ।

Sambad English

ଏହି ଧର୍ମଘଟକୁ ସମର୍ଥନ କରିବା ଲାଗି ରାଜ୍ୟର ଶ୍ରମିକ କର୍ମଚାରୀ, ବୁଦ୍ଧିଜୀବୀ, ଶ୍ରମଜୀବୀ ଓ ଜନ ସାଧାରଣଙ୍କୁ ଶ୍ରମିକ ସଂଗଠନମାନଙ୍କ ମିଳିତ ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍ଏସ୍‌, ସିଟୁ, ଏଆଇୟୁଟିୟସି, ଏଆଇସିସିଟିୟୁ, ଟିୟୁସିସି, ‌ଏସଇଡବ୍ଲୁଏ ଓ ଏଲ୍‌ପିଏଫ୍‌ ଭଳି ଶ୍ରମିକ ସଂଗଠନଙ୍କ ମିଳିତ ଉଦ୍ୟମରେ ଏହି ଧର୍ମଘଟ ଆୟୋଜନ କରାଯାଉଛି। ବ୍ୟାଙ୍କ କର୍ମଚାରୀ ଓ ଅଫିସର ସଂଘ ଏହି ଧର୍ମଘଟକୁ ସମର୍ଥନ ଦେଇଥିବାରୁ ସୋମବାର ଓ ମଙ୍ଗଳବାର ବ୍ୟାଙ୍କଗୁଡ଼ିକ ମଧ୍ୟ ବନ୍ଦ ରହିବ। ଏହି ଧର୍ମଘଟରେ ବ୍ୟାଙ୍କ, ଇସ୍ପାତ, ତୈଳ, ଟେଲିକମ୍, କୋଇଲା, ‌ଡାକଘର, ଆୟକର ଓ ବୀମା କଂପାନିଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମା‌ନେ ସାମିଲ ହେବେ ବୋଲି କୁହାଯାଉଛି। ଧର୍ମଘଟକୁ ରେଳବାଇ ଓ ପ୍ରତିରକ୍ଷା କ୍ଷେତ୍ରର ସଂଘଗୁଡ଼ିକ ମଧ୍ୟ ସମର୍ଥନ ଦେବାର ସମ୍ଭାବନା ରହିଛି। ସଡ଼କ ପଥ, ପରିବହନ କର୍ମଚାରୀ ଓ ବିଦ୍ୟୁତ କର୍ମଚାରୀମାନେ ମଧ୍ୟ ଧର୍ମଘଟରେ ସାମିଲ ହେବେ। ଭାରତୀୟ ମଜଦୁର ସଂଘ କିନ୍ତୁ ଏହି ଧର୍ମଘଟରେ ସାମିଲ ହେବ ନାହିଁ ବୋଲି ସ୍ପଷ୍ଟ କରି‌ଛି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଧର୍ମଘଟ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଧର୍ମଘଟ ପରିପ୍ରେକ୍ଷୀରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ କୁହାଯାଇଛି ଯେ ଏଲ୍‌ପିଜି ଦାମ୍‌ରେ ୫୦ ଟଙ୍କା ଏବଂ ପେଟ୍ରୋଲ୍ ଓ ଡିଜେଲ୍‌ ଦାମ୍‌ରେ ନିୟମିତ ୮୦ ପଇସାର ଦରବୃଦ୍ଧି ଅସହ୍ୟ ହୋଇପଡ଼ିଛି। ବ୍ୟାପକ ଠିକାକରଣ ଓ ଆଉଟ୍‌ସୋର୍ସିଂ କରାଯାଉଛି। ବିଭିନ୍ନ ସରକାରୀ ସମ୍ପତ୍ତି ଯଥା ଖଣି, ବିମାନ ବନ୍ଦର, ବ୍ୟାଙ୍କ ଓ ବୀମା କଂପାନି, ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ବନ୍ଦର, ରେଳବାଇ, ବିଦ୍ୟୁତ, ଇସ୍ପାତ, ଇଞ୍ଜିନିୟରିଂ ଓ ରାଜପଥ ଆଦିର ଘରୋଇକରଣ କରାଯାଉଛି।ଶ୍ରମିକମାନଙ୍କୁ ସର୍ବନିମ୍ନ ମଜୁରି ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା କରାଯାଉନାହିଁ। ସରକାରଙ୍କ ଏହି ସମସ୍ତ ନୀତି, ପଦକ୍ଷେପ ଓ ଆଭିମୁଖ୍ୟକୁ ଶ୍ରମିକ ସଂଗଠନଗୁଡ଼ିକ ବିରୋଧ କରି ଧର୍ମଘଟ ଡାକରା ଦେଇଛନ୍ତି।

ସମ୍ବନ୍ଧିତ ଖବର