ଭୁବନେଶ୍ବର : ଜିଲ୍ଲାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ କେବଳ ପ୍ରାଶାସନିକ ଦାୟିତ୍ବ ପାଇଁ ଅଫିସରେ ବସିଲେ ହେବନାହିଁ। ସେମାନଙ୍କୁ ଡାକ୍ତରଖାନା ପରିଚାଳନାଗତ ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ। ଦୁଇ ଦିନିଆ ସିଡିଏମଓ ସମ୍ମିଳନୀର ଶେଷ ଦିନରେ ଆଜି ଏପରି କଡ଼ା କଡ଼ା କଥା ଶୁଣାଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ଏକଥା ବି ସ୍ପଷ୍ଟ ଭାବେ କହିଛନ୍ତି, ସରକାରୀ ଡାକ୍ତରଖାନାରେ ଉତ୍ତମ ଗୁଣାତ୍ମକ ରୋଗୀ ସେବାପାଇଁ ସିଡିଏମଓ ହିଁ ଉତ୍ତରଦାୟୀ ରହିବେ। କେବଳ ସେତିକି ନୁେହଁ, ମନ୍ତ୍ରୀ ଆଜି ସ୍ପଷ୍ଟ ନିର୍ଦେଶ ଦେଇଛନ୍ତି େଯ ଏଣିକି ରୋଗୀ ବାହାରୁ ଆଣିଥିବା ଟେଷ୍ଟ ରିପୋର୍ଟକୁ ସରକାରୀ ଡାକ୍ତରଖାନାରେ ଗ୍ରହଣ କରାଯିବନାହିଁ। ଏବଂ ସରକାରୀ ଡାକ୍ତରଖାନାରେ କରାଯାଇଥିବା ଟେଷ୍ଟ ରିପୋର୍ଟକୁ କେବଳ କମ୍ପ୍ୟୁଟରରେ ନରଖି ତତକ୍ଷଣାତ ରୋଗୀକୁ ଯୋଗାଇ ଦିଆଯିବ।
ଘରୋଇ ସଂସ୍ଥାର ପରୀକ୍ଷା ରିପୋର୍ଟ ସରକାରୀ ଡାକ୍ତରଖାନାରେ ମନା
ଡାକ୍ତରଖାନାରେ ହୋଇଥିବା ପରୀକ୍ଷା ରିପୋର୍ଟ ରୋଗୀକୁ ମିଳିବ
ଦାନ ମାଝି ଘଟଣା ପୁନରାବୃତ୍ତି ନ ହେବା ପାଇଁ ତାଗିଦ, ହ୍ବାଟସଆପ ଗ୍ରୁପ ହେବ
ଦାନ ମାଝି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଗୁରୁବାର ସିଡିଏମଓ ସମ୍ମିଳନୀରେ ଗୁରୁତ୍ବ ଦିଆଯାଇଥିଲା। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଥିଲେ, ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯଦି ରୋଗୀଟିର ମୃତ୍ୟୁ ହେଉଛି ତାହେଲେ ମୃତ ରୋଗୀର ସମ୍ପର୍କୀୟ ଚାହିଁଲେ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ। ଏଥିପାଇଁ ସମ୍ପୃକ୍ତ ଡାକ୍ତର ମହାପ୍ରୟାଣ ଗାଡ଼ି ବ୍ୟବସ୍ଥା ପାଇଁ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିବା ସହିତ ସିଡିଏମଓଙ୍କୁ ଅବଗତ କରିବେ। ମହାପ୍ରୟାଣ ଗାଡ଼ି ଯୋଗାଇବାରେ କିଛି ଯେପରି ସମସ୍ୟା ନ ଉପୁଜେ ସେଥିପାଇଁ ସିଡିଏମଓମାନେ ନିଜ ସ୍ତରରେ ହ୍ବାଟସଆପ୍ ଗ୍ରୁପ ଗଠନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଗ୍ରୁପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଡାକ୍ତର, ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନଙ୍କୁ ସେମାନେ ଯୋଡ଼ିବେ। ସବୁ ପିଏଚସି, ସିଏଚସି ଓ ଜିଲ୍ଲା ସଦର ଡାକ୍ତରଖାନା ଗୁଡ଼ିକରେ ଡାକ୍ତରମାନଙ୍କର ଡ୍ୟୁଟି ଚାର୍ଟ ଲଗାଯିବ। ଡ୍ୟୁଟି ଚାର୍ଟ ଲାଗିଲା କି ନ ଲାଗିଲା ତାହାକୁ ମଧ୍ୟ ସିଡିଏମଓମାନେ ସୁନିଶ୍ଚିତ କରିବେ।
ସେହିପରି ଡାକ୍ତରଖାନାରେ ଥିବା ଏକ୍ସ-ରେ ମେସିନ କିମ୍ବା ଅନ୍ୟ କୌଣସି ଯନ୍ତ୍ରପାତି ଖରାପ ହେଲେ ତାର ମରାମତି ବା ନୂଆ କିଣିବା ପାଇଁ ନିର୍ଦ୍ଦିଷ୍ଟ ଭାବେ ସରକାରୀ ପାଣ୍ଠିକୁ ଅପେକ୍ଷା ନକରି ସି଼ଡିଏମଓମାନେ ଫ୍ଲେକ୍ସି ପୁଲରେ ଥିବା ଅର୍ଥରୁ ବ୍ୟୟ କରିପାରିବେ। ଡାକ୍ତରଖାନାଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରପାତି ଆଦିର ଯେଭଳି ସଠିକ୍ ଉପଯୋଗ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସିଡିଏମଓମାନଙ୍କୁ କୁହାଯାଇଛି।
ନିଦାନ, ସୁନେତ୍ର ଭଳି ଯୋଜନାରେ ରାଜ୍ୟ ସରକାର ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା ନିରୀକ୍ଷା ବିନାମୂଲ୍ୟରେ ଯୋଗାଇ ଦେଉଛନ୍ତି। ହେଲେ କିଛି ରୋଗୀ ଘରୋଇ ସଂସ୍ଥାର ରିପୋର୍ଟ ଆଣି ସରକାରୀ ଡାକ୍ତରଖାନାରେ ଦେଖାଉଛନ୍ତି। ଏପରି ଘରୋଇ ସଂସ୍ଥାର ରିପୋର୍ଟକୁ ଆଉ ସରକାରୀ ଡାକ୍ତରଖାନାରେ ଗ୍ରହଣ କରାଯିବନି େବାଲି ଆଜି େରାକଠୋକା ଭାବେ ସିଡିଏମଓମାନଙ୍କୁ ଜଣାଇ ଦିଆଯାଇଛି। ସମସ୍ତ ପରୀକ୍ଷା ସରକାରୀ ଡାକ୍ତରଖାନାରେ ଉପଲବ୍ଧ ହେଉଥିବାରୁ ଡାକ୍ତରମାନେ ରୋଗୀଙ୍କୁ ଏଥିପାଇଁ ପ୍ରବର୍ତ୍ତାଇବାକୁ ନିର୍ଦ୍ଦେଶ ଦିଆଯାଇଛି।