ଭୁବନେଶ୍ବର : କୃଷି ବିଭାଗର ବିଭିନ୍ନ ଯୋଜନା ଜରିଆରେ ଜଳବାୟୁ ପରିବର୍ତ୍ତନର ଆହ୍ବାନକୁ ସାମ୍ନା କରି ଚାଷୀଙ୍କ ଆୟ ଏବଂ ଅମଳ ବଢ଼ାଯାଇ ପାରିବ। ଓୟୁଏଟିରେ ଆୟୋଜିତ ଦୁଇ ଦିନିଆ କୃଷକ ମେଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ କୃଷି ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ ଏହା କହିଛନ୍ତି। ଏହି ମେଳାରେ ଓୟୁଏଟି ଅଧୀନସ୍ଥ ଶିକ୍ଷା, ଗବେଷଣା, ସମ୍ପ୍ରସାରଣ ବିଭାଗ, କୃଷି ଯନ୍ତ୍ରପାତି, ମୃତ୍ତିକା ସଂରକ୍ଷଣ, ବିହନ ପ୍ରସ୍ତୁତକାରୀ ସରକାରୀ ଏବଂ ଘରୋଇ ସଂସ୍ଥାଙ୍କ ୪୭ ଷ୍ଟଲରେ ଯନ୍ତ୍ର, ବିହନ ଏବଂ ଜ୍ଞାନକୌଶଳ ପ୍ରଦର୍ଶିତ ହୋଇଛି।

Advertisment

କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରି ଓୟୁଏଟି କୁଳପତି ପ୍ରଭାତ ରାଉଳ କହିଛନ୍ତି, ପରିବର୍ତ୍ତିତ କାର୍ଯ୍ୟଶୈଳୀ ଜରିଆରେ ଓୟୁଏଟି କୃଷି ଏବଂ କୃଷକର ଉନ୍ନତିରେ ନିର୍ଣ୍ଣାୟକ ଭୂମିକା ନେବ। ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ ବଶିଷ୍ଠ କୃଷକମାନଙ୍କ ଆୟ ବହୁଗୁଣ କରିବା ପାଇଁ ମତ୍ସ୍ୟ ଏବଂ ପଶୁପାଳନର ଗୁରୁତ୍ବ ବିଷୟରେ ସୂଚନା ଦେଇଥିଲେ। ସମ୍ପ୍ରସାରଣ ଅଧ୍ୟକ୍ଷ ପ୍ରଫେସର ପ୍ରସନ୍ନଜିତ ମିଶ୍ର ସ୍ବାଗତ ଭାଷଣ, ଗବେଷଣା ଅଧ୍ୟକ୍ଷ ସଂଗ୍ରାମ କେଶରୀ ସ୍ବାଇଁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ୪୦ ସଫଳ ଉଦ୍ୟୋଗୀଙ୍କୁ ବିଶ୍ବବିଦ୍ୟାଳୟ ପକ୍ଷରୁ ସମ୍ବର୍ଧିତ କରାଯାଇଥିଲା।

ଏହି ଅବସରରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଏବଂ କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ମଧ୍ୟରେ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ କୃଷି ଗବେଷଣା ଏବଂ ସମ୍ପ୍ରସାରଣର ସଶକ୍ତିକରଣ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଥିଲା। ରାଜ୍ୟରେ ସ୍ଥାୟୀ ବିହନ ବ୍ୟବସ୍ଥା, କୃଷି ଯାନ୍ତ୍ରିକୀକରଣ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳ ସମ୍ପନ୍ନ ଉଦ୍ୟାନ କୃଷି ନେଇ ଆଲୋଚନା ହୋଇଥିଲା। ଏଥିରେ ସମସ୍ତ ଜିଲ୍ଲାରୁ ୬୦୦ରୁ ଅଧିକ କୃଷକ, କୃଷି ଉଦ୍ୟୋଗୀ ଏବଂ ୨୦୦ରୁ ଅଧିକ କୃଷି ବିଶେଷଜ୍ଞ ସାମିଲ ହୋଇଥିଲେ।