ଝାରସୁଗୁଡ଼ା : ଝାରସୁଗୁଡ଼ାଠାରେ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରକୁ ଗତ ୨୨ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିଥିଲେ। ଏହି ବିମାନ ବନ୍ଦରରୁ ଉଡ଼ାନ୍ ଯୋଜନାରେ ପ୍ରଥମ ବିମାନ ରାୟପୁର ଅଭିମୁଖେ ଉଡ଼ିବାର ଶୁଭାରମ୍ଭ କରିଥିଲା। ଏଥିରେ ଝାରସୁଗୁଡ଼ାର ୮ ଜଣ ଛାତ୍ରଛାତ୍ରୀ ଓ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାଗଣାରେ ଯାତ୍ରା କରିଥିଲେ। ଏୟାର ଓଡ଼ିଶା ଝାରସୁଗୁଡ଼ାରୁ ରବିବାର ବ୍ୟତୀତ ସପ୍ତାହର ୬ ଦିନ ସେବା ଯୋଗାଇ ଦେବ ବୋଲି ସମୟ ସାରଣୀ ପ୍ରକାଶ କରିଛି। ଏଠାରୁ ଦୈନିକ ସକାଳ ୮.୧୫ରେ ରାୟପୁର, ଅପରାହ୍ନ ୩.୧୫ରେ ରାଞ୍ଚି ଓ ସନ୍ଧ୍ୟା ୫.୪୦ରେ ଭୁବନେଶ୍ୱରକୁ ଯିବା ପାଇଁ ବିମାନ ସେବା ସୁବିଧା କରାଯାଇଛି। ଶନିବାର ଦିନ ଉଦ୍ଘାଟନ ପରେ ରବିବାର ସେବା ବନ୍ଦ ରହିଥିଲା। ତେବେ ଆଜି ଭୁବନେଶ୍ୱରରୁ ଏୟାର ଓଡ଼ିଶାର ବିମାନ ଏଠାରେ ନିର୍ଧାରିତ ସମୟରେ ଅବତରଣ ପରେ ସେଥିରେ ୪ ଜଣ ଯାତ୍ରୀ ଭୁବନେଶ୍ୱରରୁ ରାୟପୁର ଯାଉଥିବା ଜଣାପଡ଼ିଥିଲା। ଝାରସୁଗୁଡ଼ାରୁ କେହି ଯାତ୍ରୀ ରାୟପୁର ଯାଇନଥିବା ବେଳେ ଆଜି ରାଞ୍ଚି ଓ ଭୁବନେଶ୍ୱର ବିମାନ ସେବା ବାତିଲ ହୋଇଥିବା ନେଇ ବିମାନବନ୍ଦର ନିର୍ଦ୍ଦେଶକ ପି.କେ.ଚୌହାନ କହିଛନ୍ତି। କାହିଁକି ବାତିଲ ହେଲା ସେ ନେଇ ମଧ୍ୟ ତାଙ୍କ ପାଖରେ ସୂଚନା ନଥିବା ସେ କହିଛନ୍ତି। ତେବେ ଆସନ୍ତା କାଲି ଠାରୁ ନେଟ ବୁକିଂ ଆରମ୍ଭ ହେବା ନେଇ ସମ୍ଭାବନା ଥିବା ନିର୍ଦ୍ଦେଶକ ଶ୍ରୀ ଚୌହାନ କହିଛନ୍ତି।
କେହି ଆସିଲେନି କି ଗଲେନି : ସୋମବାର ଝାରସୁଗୁଡ଼ାରୁ ୨ ଉଡାଣ ବାତିଲ
/sambad/media/post_attachments/wp-content/uploads/2018/09/fly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)