ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆନ୍ଧ୍ର ଛୁଇଁବ ଲଘୁଚାପ, ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର : କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟ ଆଜି ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି। ଏହା ଏବେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଆହୁରି ଘନୀଭୂତ ହେବ ଓ ଗଭୀର ଅବପାତରେ ପରିଣତ ‌ହେବ। ଏହାପରେ ଏହାର ଗତି ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ରହିବ। ଆସନ୍ତାକାଲି ରାତିରେ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ନର୍ସାପୁର ଓ ବିଶାଖାପାଟଣା ଦେଇ ଅବପାତ ରୂପରେ ଏହା ଅତିକ୍ରମ କରିବ। ଏହାର ପ୍ରଭାବରେ ଓଡ଼ିଶାରେ ଆଜି (ରବିବାର) ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଛି। କିଛି କିଛି ସ୍ଥାନରେ ଭାରି ବର୍ଷା ମଧ୍ୟ ରେକର୍ଡ ହୋଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ସକାଳୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକରେ ପ୍ରବଳ ବର୍ଷାର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ ତାରିଖ ଦିନ ମଧ୍ୟ ରାଜ୍ୟରେ ଏହାର ପ୍ରଭାବ ରହିବ। ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି।ସମୁଦ୍ର ଅଶାନ୍ତ ରହିବା ସହ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ବାରଣ କରାଯାଇଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଆସନ୍ତାକାଲି ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୧୨ ତାରିଖ ରାତିରେ ଗଭୀର ଅବପାତର କେନ୍ଦ୍ର(ଆଖି) ବିଶାଖାପାଟଣାର ଦକ୍ଷିଣରେ ଉପକୂଳ ଛୁଇଁବ। ୧୩ ତାରିଖରେ ଏହି ଅବପାତର କେନ୍ଦ୍ର (ଆଖି) ସମ୍ପୂର୍ଣ୍ଣ ଭାବେ ବିଶାଖାପାଟଣା ଉପରେ ରହିବାର ସମ୍ଭାବନା ରହିଛି। ଏହି ସମୟ‌ରେ ଦକ୍ଷିଣ ଓଡ଼ିଶା ଉପକୂଳ ସଂଲଗ୍ନ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ବିସ୍ତୃତ ଲଘୁଚାପର ଏକ ଅଂଶବିଶେଷ ହେବ। ଅନ୍ୟପଟେ ୧୬ ତାରିଖ ସୁଦ୍ଧା ମିଆଁମାର ଉପକୂଳ ନିକଟରେ ଅନ୍ୟ ଏକ ଘୂର୍ଣ୍ଣିବଳୟ ରହିଥିବ, ଯାହାକି ୧୭ ତାରିଖରେ ଲଘୁଚାପରେ ପରିଣତ ହେବ। ଏହା ଅଧିକରୁ ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରୂପରେ ୧୮ତାରିଖରେ ଓଡ଼ିଶା ସଂଲଗ୍ନ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ଏହା ବାତ୍ୟାରେ ପରିଣତ ହେବ ନାହିଁ କିନ୍ତୁ ଏହି ଗଭୀର ଅବପାତର ପ୍ରକୋପ ସମୁଦ୍ରରେ ବାତ୍ୟା ପାଖାପାଖି ରହିବ।

ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୩ ତାରିଖ ଦିନ ଭୋରରୁ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁରରେ ବର୍ଷା ଆରମ୍ଭ ହୋଇଯିବ। ରାଜ୍ୟର ଅନ୍ୟାନ୍ୟ ପ୍ରାନ୍ତରେ ଘଡ଼ଘଡ଼ି ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ। ଅନ୍ୟପଟେ ୧୭ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୮ରୁ ୨୧ ତାରିଖ ଯାଏଁ ବର୍ଷା ଲାଗିରହିବ। ଏହା ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଥିବାରୁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର