ସମ୍ବଲପୁର: ପ୍ରବଳ ଥଣ୍ଡା। ବରଫପାତ ବି ହେଉଥିଲା। ତଥାପି ନିର୍ଦ୍ଦୟ ୟୁକ୍ରେନ ସୀମାନ୍ତ ପୁଲିସ କିନ୍ତୁ ଆମକୁ ସୀମା ପାରି ହୋଇ ରୋମାନିଆକୁ ଯିବାକୁ ଦେଲା ନାହିଁ। ଯେତେ ନେହୁରା ହେଲେ ବି ଆମ କଥା ସେମାନେ ଆଦୌ ଶୁଣିଲେ ନାହିଁ। ୟୁକ୍ରେନ ସୀମାନ୍ତ ପୁଲିସ ସହିତ ଆମର ଦୁଇ ଥର ଯୁକ୍ତିତର୍କ ବି ହେଲା। ମୋ ମୁଣ୍ଡରେ ବନ୍ଧୁକ ରଖି ଦେଲେ। ମୋର ସାଂଗରେ ଥିବା ବିଶ୍ବକେଶ ସାମନ୍ତରାୟଙ୍କୁ ଧସ୍ତାଧସ୍ତି କରିବାକୁ ପଛେଇଲେ ନାହିଁ। ଆମେ ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲୁ। ଦୁଇ ଦିନ ଦୁଇ ରାତି ଅକଥନୀୟ ଦୁର୍ଦ୍ଦଶା ଭୋଗିବାକୁ ପଡ଼ିଲା ବୋଲି ୟୁକ୍ରେନରେ ଡାକ୍ତରୀ ପଢ଼ୁଥିବା ସମ୍ବଲପୁର ମାଟିର ପୁଅ ମଧୁସୁଦନ ମିଶ୍ର।
ୟୁକ୍ରେନରୁ ସୁରକ୍ଷିତ ଅବସ୍ଥାରେ ଆଜି ସମ୍ବଲପୁର ଫେରିଛନ୍ତି ମଧୁସୁସନ। ମଧୁସୂଦନ ହେଉଛନ୍ତି ୟୁକ୍ରେନ ମଧ୍ୟଭାଗରେ ଭିନିଷ୍ଟିଆରେ ରହୁଥିଲେ। ସେ ଭିନିଷ୍ଟିଆ ନେସ୍ନାଲ ମେଡିକାଲ କଲେଜର ଚତୁର୍ଥ ବର୍ଷର ଛାତ୍ର। ମଧୁସୂଦନ କହନ୍ତି, ରୁଷିଆର ଘନ ଘନ ଆକ୍ରମଣ ପରେ ଆମେ ୟୁକ୍ରେନ ଛାଡ଼ିବାକୁ ସ୍ଥିର କଲୁ। ଭିନିଷ୍ଟିଆରେ ଆକ୍ରମଣ ହୋଇନଥିଲା। ତେବେ, ସାରା ଦେଶରେ ମାର୍ସଲ ଲ’ ଲାଗୁ ହୋଇଯାଇଥିଲା। ୩ଟି ଲମ୍ବା ସାଇରନ୍ ବାଜିଲେ ଘର ଛାଡ଼ି ବଙ୍କର କିମ୍ବା ଫ୍ଲାଟର ବେସ୍ମେଣ୍ଟକୁ ଯିବାକୁ ୟୁକ୍ରେନ ସରକାରଙ୍କ ନିର୍ଦ୍ଦେଶ ରହିଥିଲା। ଏଭଳି ସ୍ଥିତିରେ ଆମେ ଗତ ୨୪ ଫେବ୍ରୁଆରି ଦିନ ଭିନିଷ୍ଟିଆ ଛାଡ଼ିବାକୁ ସ୍ଥିର କଲୁ। ଆମ କଲେଜରେ ୨ ଶହ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଆମକୁ ରୋମାନିଆ ଦେଇ ଭାରତ ଆସିବାର ଥିଲା।
ମାତ୍ର ୟୁକ୍ରେନ ସୀମାନ୍ତ ଅଂଚଳ ସିରେଟ୍କୁ ଯିବା ପାଇଁ କୌଣସି ବସ୍ ଏଜେନ୍ସି ରାଜି ହେଲେ ନାହିଁ। ବହୁ ଚେଷ୍ଟା ପରେ ଆମର ଜଣେ ପଡ଼ୋଶୀ ଭଦ୍ର ମହିଳା(ୟୁକ୍ରେନର ମୂଳନିବାସୀ)ଙ୍କ ସହଯୋଗରେ ୪ଟି ବସ୍ ଯୋଗାଡ଼ ହୋଇପାରିଲା। ମାତ୍ର ବସ୍ ଏଜେନ୍ସିର ସର୍ତ୍ତ ଥିଲା, ସିରେଟ୍ ଠାରୁ ୧୦ କିଲୋମିଟର ପୂର୍ବରୁ ଆମକୁ ଛାଡ଼ିବେ ଏବଂ ଭଡ଼ା ବାବଦ ଅର୍ଥ ନଗଦ ଆକାରରେ ନେବେ। ଆମ ପାଖରେ ସେତେବେଳେ ନଗଦ ଟଙ୍କା ନଥିଲା। ଆମେ ଯେଉଁ କନ୍ସଲ୍ଟେନ୍ସି(ୱାଇଜ୍ ଏଜେକେସନ୍ ଗ୍ରୁପ) ଜରିଆରେ ଯାଇଥିଲୁ, ତାଙ୍କ ସହିତ ଯୋଗାଯୋଗ କଲୁ। ଏହି ଗ୍ରୁ୍ପ୍ର ନିର୍ଦ୍ଦେଶକ ସୁଶୀଳ କୁମାର ଦାଶ ତାଙ୍କ ପାଖରେ ସଂଚୟ ଥିବା ୩୫୦୦ ଡଲାର ଆମକୁ ସଂଗେ ସଂଗେ ଯୋଗାଇ ଦେଲେ।
୨୫ ଫେବ୍ରୁଆରି ଅପରାହ୍ଣ ୪ଟାରେ ୪ଟି ବସ୍ରେ ୧୬୪ ଜଣ ଛାତ୍ରଛାତ୍ରୀ ବାହାରି ରାତି ୧ଟାରେ ସିରେଟ୍ରେ ପହଂଚିଲୁ। ବସ୍ରୁ ଓହ୍ଲାଇବା ପରେ ଦୀର୍ଘ ୧୦ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡ଼ିଥିଲା। ସକାଳ ହେବା ପରେ ସୀମା ପାରି ହୋଇ ରୋମାନିଆ ଯିବା ପାଇଁ ଥିବା ଗେଟ୍ରେ ଜଗିଥିବା ୟୁ୍କ୍ରେନ ସୀମାନ୍ତ ପୁଲିସ ପାଖକୁ କଥାବାର୍ତ୍ତା କରିବାକୁ ଗଲୁ। ସେମାନେ ଆମକୁ ଛାଡ଼ିଲେ ନାହିଁ। ୨୬ ଓ ୨୭ ଫେବ୍ରୁଆରି ଆମକୁ ଖୋଲା ଆକାଶ ତଳେ ପ୍ରବଳ ଥଣ୍ଡାରେ ସେଠାରେ ସମୟ ବିତାଇବାକୁ ପଡ଼ିଥିଲା। ସେଠାରେ ଦୁଇଟି କେଫେଟରିଆ ବ୍ୟତୀତ କିଛି ନଥିଲା।
ଆମ ପାଖରେ ଥିବା ଖାଇବାପିଇବା ଜନିଷ ବି ସରିଯାଇଥିଲା। ତେବେ, ୟୁକ୍ରେନର କେତେକ ସ୍ବେଚ୍ଛାସେବୀ ଖାଇବା ପିଇବା ଯୋଗାଉଥିଲେ। କେତେକ ଝିଅ ଥଣ୍ଡା ଯୋଗୁ ଅସୁସ୍ଥ ହୋଇପଡ଼ିଥିଲେ। ୨୭ ତାରିଖ ଦିନ ୟୁକ୍ରେନ ସୀମାନ୍ତ ପୁଲିସ ସହିତ ମୋର ଓ ବିଶ୍ବକେଶ ସାମନ୍ତରାୟ ପାଟିତୁଣ୍ଡ ହୋଇଗଲା। ମୋ ମୁଣ୍ଡରେ ସେମାନେ ବନ୍ଧୁକ ରଖିଥିଲେ। ବିଶ୍ବକେଶଙ୍କ ସହିତ ସେମାନେ ଧସ୍ତାଧସ୍ତି କଲେ। ଏଭଳି ସ୍ଥିତିରେ ଆମେ ଭୟଭୀତ ହୋଇଯାଇଥିଲୁ। ୨୮ ତାରିଖ ଦିନ ଆମେ ଯେକୌଣସି ସ୍ଥିତିରେ ସୀମା ପାରି ହୋଇ ରୋମାନିଆକୁ ଯିବାକୁ ସ୍ଥିର କରିଥିଲୁ। ସେହି ସମୟରେ ଅନ୍ୟ ବିଶ୍ବବିଦ୍ୟାଳୟର ପାଖାପାଖି ହଜାରେ ପିଲା ଆସି ସେଠାରେ ପହଂଚି ସାରିଥିଲେ। ୨୮ ତାରିଖ ଦିନ ଭାରତ ସରକାରଙ୍କ ଚାପରେ ଆସି ସେମାନେ ଆମକୁ ରୋମାନିଆକୁ ଯିବାକୁ ଦେଲେ।
ରୋମାନିଆରେ କିନ୍ତୁ ଆମମାନଙ୍କ ପାଇଁ ଉତ୍ତମ ବ୍ୟବସ୍ଥା ହୋଇଥିଲା। ରୋମାନିଆର ସୁଚେବା ସହରର ଇନ୍ଡୋର ଷ୍ଟାଡ଼ିୟମରେ ଦୁଇ ଦିନ ପର୍ଯ୍ୟନ୍ତ ରହିଲୁ। କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଆସି ଆମ ସହିତ ଦେଖାକଲେ। ସୁଚେବା ଏୟାରପୋର୍ଟରୁ ଆମେ ଗତକାଲି ପ୍ରଥମ ପର୍ଯ୍ୟାୟରେ ୨ଟି ବିମାନରେ ବାହାରି ଦିଲ୍ଲୀ ପହଂଚିବା ଓଡ଼ିଶା ଭବନରେ ରହିଲୁ। ଆଉ ଆଜି ଦିଲ୍ଲୀରୁ ଝାରସୁଗୁଡ଼ାକୁ ପୁଣି ବିମାନ ଯୋଗେ ଆସି ସନ୍ଧ୍ୟାରେ ଘରକୁ ପହଂଚିଥିବା କହନ୍ତି ମଧୁସୁଦନ। ରୋମାନିଆରୁ ଦିଲ୍ଲୀ ପର୍ଯ୍ୟନ୍ତ ଭାରତ ସରକାର ଏବଂ ଦିଲ୍ଲୀରୁ ଝାରସୁଗୁଡ଼ା ଆସିବା ପର୍ଯ୍ୟନ୍ତ ଓଡ଼ିଶା ସରକାର ସମସ୍ତ ବ୍ୟବସ୍ଥା କରିଥିଲେ ବୋଲି କହିଛନ୍ତି ମୁଧୁସୂଦନ। ତାଙ୍କ ସହିତ ସମ୍ବଲପୁର, ସୁନ୍ଦରଗଡ଼ ଆଦି ଜିଲ୍ଲାର ୧୩ ଜଣ ଛାତ୍ରଛାତ୍ରୀ ଝାରସୁଗଡ଼ା ବିମାନ ବନ୍ଦରରେ ଆଜି ଓହ୍ଲାଇଥିବା ସେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/20-2.jpg)