ଆଜିଠୁ ୧୧ ଜିଲ୍ଲା ଦୁଇଦିନିଆ ସଟ୍‌ଡାଉନ୍‌

ପେଟ୍ରୋଲ ପମ୍ପ, ଔଷଧ ଦୋକାନ ଖୋଲା, ବସ୍‌, ଟ୍ରେନ୍‌ ଓ ବିମାନ ସେବାକୁ ଅନୁମତି

ଭୁବନେଶ୍ବର : କରୋନା ମୁକାବିଲା ଲାଗି ରାଜ୍ୟରେ ୧୧ଟି ଜିଲ୍ଲାରେ ଆସନ୍ତାକାଲି ଆରମ୍ଭ ହେଉଛି ଦୁଇ ଦିନିଆ ସାପ୍ତାହିକ ସଟ୍‌ଡାଉନ୍‌। ଶନିବାର ଓ ରବିବାର ଦୁଇଦିନ ଧରି ରାଜ୍ୟର ୧୧ଟି ଜିଲ୍ଲା ଯଥା ଗଞ୍ଜାମ, ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ବଲାଙ୍ଗୀର ଜିଲ୍ଲାରେ ଏହା କାର୍ଯ୍ୟକାରୀ ହେବ। ଏହି ସମୟରେ ସମସ୍ତ ଦୋକାନବଜାର ଓ ଅଫିସ ବନ୍ଦ ରହିବ। ତେବେ କେତେକ ସେବାକୁ ରାଜ୍ୟ ସରକାର କଟକଣାମୁକ୍ତ କରିଛନ୍ତି। ପେଟ୍ରୋଲ ପମ୍ପ ଏବଂ ଔଷଧ ଦୋକାନ ଖୋଲା ରହିବ। ସେହିପରି ବସ୍‌, ଟ୍ରେନ୍‌ ଓ ବିମାନ ଚଳାଚଳ ଅବ୍ୟାହତ ରହିବ। ଏଥିରେ ଆସୁଥିବା ଯାତ୍ରୀଙ୍କୁ ନେବା ପାଇଁ ପୁଲିସଠାରୁ ସ୍ବୀକୃତିପ୍ରାପ୍ତ ଓଲା, ଉବେର, ଅଟୋ ଚଳାଚଳ କରିବ। ପଣ୍ୟଦ୍ରବ୍ୟ ପରିବହନ ପାଇଁ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଉନ୍ମୁକ୍ତ ରହିବ। ରିଜର୍ଭ ବ୍ୟାଙ୍କ କାର୍ଯ୍ୟାଳୟ ଓ କ୍ଲିୟରିଂ ହାଉସ୍ ଖୋଲା ରହିବ, କିନ୍ତୁ ବ୍ୟାଙ୍କ ଶାଖାଗୁଡ଼ିକ ବନ୍ଦ ରହିବ।

ଏଥିସହ ସାମ୍ବାଦିକ, ମେଡିକାଲ କର୍ମଚାରୀ, ଟେଲିକମ୍‌ ସେକ୍ଟର କର୍ମଚାରୀ, ପେଟ୍ରୋଲ ପମ୍ପ କର୍ମଚାରୀ, ପାନୀୟଜଳ ଯୋଗାଣ ଓ ପରିମଳ କର୍ମଚାରୀ, ବିଦ୍ୟୁତ୍‌ କ୍ଷେତ୍ରରେ ନିୟୋଜିତ କର୍ମଚାରୀ, ନିଜର ପରିଚୟପତ୍ର ବ୍ୟବହାର କରି କର୍ମସ୍ଥଳକୁ ଯାଇପାରି‌ବେ। ଫାର୍ମାସି ବା ମେଡିକାଲ ଷ୍ଟୋର୍‌ କର୍ମଚାରୀ ଟ୍ରେଡ୍‌ ଲାଇସେନ୍ସ ବା ପୂର୍ବରୁ ପ୍ରଦତ୍ତ ପାସ୍‌ ବଳରେ ଯାତାୟାତ କରିବେ।

ସମ୍ବନ୍ଧିତ ଖବର