୧୯ରୁ ଦୁଇ ଦିନିଆ ରାଜ୍ୟସ୍ତରୀୟ ସିଡିଏମଓ ସମ୍ମିଳନୀ

ଭୁବନେଶ୍ବର : ଆସନ୍ତା ୧୯ ତାରିଖରେ ଦୁଇଦିନିଆ ରାଜ୍ୟସ୍ତରୀୟ ସିଡିଏମଓ ସମ୍ମିଳନୀ ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା କରାଯିବ। ଏହାସହିତ ନିରାମୟ, ସୁନେତ୍ର, ନିଦାନ, ସହାୟ ଓ ନିର୍ମଳ, ଟୀକାକରଣ କାର୍ଯ୍ୟକ୍ରମରେ କେତେ ସଫଳତା ମିଳିଛି ସେ ନେଇ ମଧ୍ୟ ସମୀକ୍ଷା କରାଯିବ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ପ୍ରେସ ବିବୃତି ଅନୁଯାୟୀ, ସିଡିଏମଓ ସମ୍ମିଳନୀରେ କ୍ୟାପିଟାଲ ହସ୍ପିଟାଲ ଓ ଆଇଜିଏଚ ରାଉରକେଲାର ନିର୍ଦ୍ଦେଶକଙ୍କ ସହିତ ସମସ୍ତ ଜିଲ୍ଲାର ସିଡିଏମଓ ଓ ଜନସ୍ବାସ୍ଥ୍ୟ ଅଧିକାରୀମାନେ ଯୋଗଦେବେ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଭିନ୍ନ ସହଯୋଗୀ ସଂସ୍ଥା ମଧ୍ୟ ଉପସ୍ଥିତ ରହିବେ। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ଆୟୋଜିତ ଏହି ସମ୍ମିଳନୀ ବହୁ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଛି।

ରାଜ୍ୟ ସଚିବାଳୟର ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଥମ ଦିନ ବିଭାଗୀୟ ମନ୍ତ୍ରୀ ଏହାକୁ ଉଦଘାଟନ କରିବେ। ଏଥିରେ କେନ୍ଦ୍ରସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶକ ମନୋଜ ଜଲାନ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିସନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ଯୋଗଦେଇ ସ୍ବାସ୍ଥ୍ୟସେବା ଉପରେ ମତ ରଖିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଉପରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାସ ଆଲୋକପାତ କରିବେ। ସେହିଭଳି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା ହେବ। ପ୍ରଥମ ଦିନରେ ଜାତୀୟ ସ୍ବାସ୍ଥ୍ୟ ମିସନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି।

ଦ୍ବିତୀୟ ଦିନରେ ମାଗଣ ଔଷଧ ବଣ୍ଟନ ଯୋଜନା ଅନ୍ତର୍ଗତ ନିରାମୟ, ସାର୍ବଜନୀନ ଚକ୍ଷୁସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ସୁନେତ୍ର, ଜାତୀୟ ସ୍ବାସ୍ଥ୍ୟ ମିସନ ଜରିଆରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋଚନା କରାଯିବ। ସେହିପରି ସରକାରୀ ଓ ଘରୋଇ ସହଭାଗିତାରେ କାର୍ଯ୍ୟକାରୀ ହେଉଥିବା ନିଦାନ, ସହାୟ ଓ ନିର୍ମଳ, ଟୀକାକରଣ, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଅଣସଂକ୍ରମିତ ରୋଗ କାର୍ଯ୍ୟକ୍ରମ ଆଦି ଉପରେ ବିସ୍ତୃତ ଆଲୋଚନା ହେବ। ଏଥିରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଅର୍ଚ୍ଚନା ପଟ୍ଟନାୟକ, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ, ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରମୁଖ ଅଂଶଗ୍ରହଣ କରିବେ। ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ କରିବାଲାଗି ଆରମ୍ଭ ହୋଇଥିବା ଉଦ୍ୟମ କିଭଳି ତ୍ବାରାନ୍ବିତ ଭାବେ କାର୍ଯ୍ୟକାରୀ ହେବ ଓ ଲୋକେ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇପାରିବେ ସେ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହେବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର