ବିଳମ୍ବିତ ରାତିରେ ମର୍ମନ୍ତୁଦ ଦୁର୍ଘଟଣା : ଟାଭେରା ଚୂରମାର୍‌, ୨ ମୃତ, ୧୦ରୁ ଊର୍ଧ୍ବ ଆହତ, ୨ ଶିଶୁ ସଂକଟାପନ୍ନ

ଭୁବନେଶ୍ୱର/କଟକ : ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ହସଂପାଳ ଛକ ବିଗ୍‌ବଜାର ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଊର୍ଧ୍ବ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ମୃତାହତମାନଙ୍କ ପରିଚୟ ମିଳି ପାରିନାହିଁ। ଆହତମାନଙ୍କ ମଧ୍ୟରେ ୨ଜଣ ଶିଶୁ ଥିବା ଜଣାଯାଇଛି। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିବା ଜଣାଯାଇଛି। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୨ଟା ବେଳେ ଏକ ଟାଭେରା (ଓଡି-୧୩ସି-୯୨୭୫) କଟକରୁ ଭୁବନେଶ୍ୱର ଆଡ଼କୁ ଆସୁଥିବା ବେଳେ ଏହି ଅଘଟଣ ଘଟିଥିଲା। କୌଣସି ଏକ ଭାରୀଯାନ ଟାଭେରାଟିକୁ ବାମ ପଟୁ ଧକ୍କା ଦେଇଥିବା ଅନୁମାନ କରାଯାଉଛି। ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଚୂରମାର୍‌ ହୋଇଯାଇଥିଲା। ଏହାସହ ଗାଡ଼ି ଭିତରେ ମୃତକଦ୍ବୟ ଚାପି ହୋଇ ରହିଥିଲେ। ଗାଡ଼ି ଭିତରେ ଥିବା ମୃତାହତମାନେ ଏକ ବିବାହ ଭୋଜିରୁ ଫେରୁଥିବା କୁହାଯାଉଛି। ତେବ‌େ ସେତିକିବେଳେ ଭୁବନେଶ୍ବର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଫେରୁଥିବା ସମୟରେ ଏହା ଦେଖି ଆମ୍ବୁଲାନ୍ସକୁ ଡାକିବା ସହ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର