ଦୁଇ ବାଇକ୍‌ ଗୋଡ଼ାଗୋଡ଼ି କାଳ ହେଲା : ମିନିବସ୍‌ ସହ ଧକ୍କା ହୋଇ ୨ ମୃତ, ୨ ଗୁରୁତର

ପାଟପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ଅଧୀନ ଦିଗପହଣ୍ଡି-ତପ୍ତପାଣି ଜାତୀୟ ରାଜପଥ ଧରମପୁର ଶ୍ମଶାନ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଚାରି ଜଣ ସାଙ୍ଗ ଦୁଇଟି ବାଇକ୍‌ରେ ଗୋଡ଼ାଗୋଡ଼ି ହୋଇ ତପ୍ତପାଣି ଅଭିମୁଖେ ଯାଉଥିଲେ। ହଠାତ୍‌ ସାମ୍ନାରୁ ଆସୁଥିବା ଏକ ମିନିବସ୍‌ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ବାଇକ୍‌ରେ ଥିବା ଦୁଇ ଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ଅନ୍ୟ ବାଇକ୍‌ରେ ସବାର ଦୁଇ ଯୁବକ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମୃତ ଯୁବକ ଦ୍ବୟ ଗଜପତି ଜିଲ୍ଲା ଚନ୍ଦ୍ରଗିରି ଗ୍ରାମର ଚନ୍ଦନ ଘଡ଼େଇ (୨୮) ଓ ହିମାଂଶୁ ପ୍ରଧାନ। ଗୁରୁତର ଦ୍ବୟ ହେଲେ ପାଟପୁର ଥାନା କେ. ନୂଆଗଡ଼ ଗ୍ରାମର ଗଞ୍ଜୁ ମଣ୍ଡଳ (୨୫) ଓ ଦିଲୀପ ଶବର (୨୬)। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇବା ସହ ଦୁର୍ଘଟଣା ଘଟାଇଥିବା ୩ଟି ଯାକ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

ଆଜି ସକାଳେ କେ.ନୂଆଗଡ଼ର ଗଞ୍ଜୁ ଓ ଦିଲୀପ ସାଥୀ ହୋଇ ଏକ ଏଚ୍‌.ଏଫ୍‌ ଡିଲକ୍ସ (ଓପି୦୭ଏମ୍‌ ୫୨୦୨) ଏବଂ ଚନ୍ଦ୍ରଗିରି ଗ୍ରାମର ହିମାଂଶୁ ଓ ଚନ୍ଦନ ଦୁହେଁ ଟିଭିଏସ୍‌ (ଓଡି୦୭ଏଫ୍‌ ୭୯୬୦) ଯୋଗେ ବ୍ରହ୍ମପୁରରୁ ତପ୍ତପାଣି ଅଭିମୁଖେ ବାହାରିଥିଲେ। ରାସ୍ତାରେ ସେମାନେ ଅତି ଦ୍ରୁତଗତିରେ ଗୋଡ଼ାଗୋଡ଼ି ହୋଇ ଚାଲିଥିଲେ। ଏତିକିବେଳେ ଅଚାନକ ଦିଗପହଣ୍ଡି-ତପ୍ତପାଣି ଜାତୀୟ ରାଜପଥ ଧରମପୁର ଶ୍ମଶାନ ନିକଟରେ ବିପରୀତ ଦିଗରୁ ଏକ ଘରୋଇ ମିନିବସ୍‌ ମହାବୀର (ଓଆର୍‌୦୭ ୫୨୧୫) ଆସି ଯାଇଥିଲା। ନିୟନ୍ତ୍ରଣ ରଖି ନପାରି ବସ୍‌ ସହିତ ଟିଭିଏସ୍‌ ବାଇକ୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଏଥିରେ ବସିଥିବା ଚନ୍ଦନଙ୍କ ମୃତ୍ୟୁ ହୋଇଥିଲା। ପଛରେ ଏଚ୍‌.ଏଫ୍‌ ଡିଲକ୍ସ ବାଇକ୍‌ରେ ଆସୁଥିବା ଗଞ୍ଜୁ ଓ ଦିଲୀପଙ୍କ ଉପରେ ପ୍ରଥମ ବାଇକ୍‌ ଛିଟିକି ହୋଇ ପଡ଼ିଥିଲା। ଖବର ପାଇ ସାନଖେମୁଣ୍ଡି ଦମକଳ ବାହିନୀ ପହଞ୍ଚି ତିନି ଗୁରୁତରଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ଥିବାରୁ ତିନି ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ହିମାଂଶୁଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର