ଖୋର୍ଦ୍ଧା : ଶୁକ୍ରବା‌ର ସନ୍ଧ୍ୟାରେ ୫୭ ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଥାନା ଅନ୍ତର୍ଗତ ପୁବୁସାହି ନିକଟରେ ଭୁବନେଶ୍ବରରୁ ଖଣ୍ତପଡ଼ାର କଳବଙ୍ଗିକୁ ଯାଉଥିବା ଏକ ବସ୍‌ ଓଲଟି ପଡ଼ିବା ଫଳରେ ବସ୍‌ କଣ୍ତକ୍ଟର ସମେତ ୨ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ୨୦ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ବସ୍‌ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଛି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମିଳିଥିବା ସୂଚନାନୁସାରେ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଓଆର୍୦୫ ଡବ୍ଲୁ ୧୦୭୫ ନମ୍ବର ବିଶିଷ୍ଟ ‘ନାରାୟଣୀ’ ନାମକ ଏକ ଘରୋଇ ବସ୍‌ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ପୁବୁସାହିର ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଫଳରେ ବସ୍‌ ତଳେ ଚାପି ହୋଇ ବସ୍‌ର କଣ୍ତକ୍ଟର ବରକତଉଲ୍ଲା ଖାଁ ଓରଫ ରିତୁ (୪୦) ଓ ଅନ୍ୟ ଜଣେ ଯାତ୍ରୀ ଫତେଗଡ଼ର ଗୋବିନ୍ଦ ଚନ୍ଦ୍ର ପ୍ରଧାନ (୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଓ ଖୋର୍ଦ୍ଧା ଦମକଳ ବାହିନୀର କର୍ମଚାରୀ ଦୁର୍ଘଟଣାସ୍ଥଳରେ ପହଞ୍ଚି ବସ୍‌ ମଧ୍ୟରୁ ଆହତଙ୍କୁ ଉଦ୍ଧାର କରିବା ସହ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ସେଠାରୁ ସଂକଟାପନ୍ନ ଅବସ୍ଥାରେ ଥିବା ୪ ଜଣଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଥିଲା।
ଆହତମାନଙ୍କ ମଧ୍ୟରେ ସର୍ବାଧିକ ବ୍ୟକ୍ତି ନୟାଗଡ଼ ଜିଲ୍ଲା ଧାନଚେଙ୍ଗଡ଼ାର ବୋଲି ଜଣାପଡ଼ିଛି।

ଆହତମାନେ ହେଲେ, ଫତେଗଡ଼ ପାର୍ଥପୁରର ଗୋପାଳଚନ୍ଦ୍ର ବାରିକ (୪୦), ବାଲିପାହାଡ଼ର କୃଷ୍ଣଚନ୍ଦ୍ର ସିଂ (୨୭), ଗଁପୁରର ଦୁର୍ଗାଚରଣ ବେହେରା (୫୦), ଧାନଚେଙ୍ଗଡ଼ାର ମାମା ମହାନ୍ତି (୧୯), ବଡ଼ବେରଣାର କାହ୍ନୁ ମାଝି (୨୮), ଖଣ୍ତପଡ଼ାର ବାସନ୍ତୀ ସେଠୀ (୪୦), ଧାନଚେଙ୍ଗଡ଼ାର ବିଜୟ ମହାନ୍ତି (୫୦), ଧୂଆଁଡିହାର ରମେଶ ମହାନ୍ତି, ଟିକିଲିପଡ଼ାର ସରୋଜିନୀ ସାହୁ (୫୫) ଓ ତାଙ୍କ ସ୍ବାମୀ ମାଧବଚନ୍ଦ୍ର ସାହୁ (୬୦), ଧାନ ଚେଙ୍ଗଡ଼ାର ଚିନ୍ମୟ ମହାନ୍ତି (୫ବର୍ଷ), କହ୍ଲୁଆପାଟଣାର କୁନାଲ ବେହେରା (୨୨), ଗଁପୁରର ଆର୍ତବନ୍ଧୁ ରଣା (୬୨), ଧାନଚେଙ୍ଗଡ଼ାର ଝୁନୁ ମହାନ୍ତି (୩୫), ପୁବୁ ସାହିର ଶାନ୍ତିଲତା ସେନାପତି (୩୮), ଧାନଚେଙ୍ଗଡ଼ାର ସରୋଜିନୀ ସାହୁ (୫୫), ଢଁଅସରର ଏକାଦଶୀ ପ୍ରଧାନ(୬୪), ପୁବୁସାହିର ରୋଶନ କୁମାର ବେହେରା(୧୫)।

ଦୁର୍ଘଟଣା ନେଇ ଟାଉନ୍‌ ଥାନା ଅଧିକାରୀ ଉମାଶଙ୍କର ସିଂ କହିଛନ୍ତି ଯେ, ବସ୍‌ରେ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଥିଲେ ଓ ସଂଖ୍ୟାଧିକ ଯାତ୍ରୀ ବସ୍‌ରେ ଠିଆ ହୋଇ ଯାତ୍ରା କରୁଥିଲେ। ବସ୍‌ଟି ଡାହାଣପଟେ ଓଲଟି ପଡ଼ିଥିବାରୁ ବସ୍‌ ଫାଟକ ପାଖରେ ଯେଉଁମାନେ ଥିଲେ ବସ୍‌ତଳେ ଚାପି ହୋଇପଡ଼ିଲେ। ଏ ନେଇ ମାମଲା ରୁଜୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି।