ଆଲୁଘାଟିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ୩ ଗୁରୁତର

ହରିଚନ୍ଦନପୁର : ନରଣପୁର – ଡୁବୁରୀ ରାସ୍ତାର ହରିଚନ୍ଦନପୁର ଥାନା ଅନ୍ତର୍ଗତ ଭଗାମୁଣ୍ଡା ନିକଟସ୍ଥ ଆଲୁଘାଟିରେ ଆଜି ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇଜଣ ଯୁବକଙ୍କ ଜୀବନ ଯାଇଛି। ଏଥିରେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ଦ୍ୱୟ ହେଲେ ସୁନାପେଣ୍ଠ ପଞ୍ଚାୟତ ମହୁଳଗୋଡା ନୂଆସାହିର ଶାନ୍ତନୁ ମହାନ୍ତ (୩୫) ଏବଂ ପାଟଣା ଥାନା ଧାନବେଣୀ ଗ୍ରାମର ଭଜରାଜ ମହାନ୍ତ (୩୦) । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ୩ ଜଣ ହେଲେ ଜିରାଙ୍ଗ ଗ୍ରାମର ଜନ୍ମେଜୟ ରାଉତ (୩୦), ଜାମୁଦା ଗ୍ରାମର ବୁଦ୍ଧିଆ କିସାନ (୪୫) ଓ ତମ୍ବାହରା ଗ୍ରାମ ଶାଳପଶି ସାହିର ମଧୁସୂଦନ ମୁଣ୍ଡା (୩୦)।

ସୂଚନା ଅନୁଯାୟୀ  ଗୁରୁତର ଥିବା ୩ ଯୁବକ ଭଗାମୁଣ୍ଡା ସାପ୍ତାହିକ ହାଟରୁ ଏକ ବାଇକରେ ହରିଚନ୍ଦନପୁର ଅଭିମୁଖେ ଆସୁଥିବାବେଳେ ଅପରପକ୍ଷରୁ ମୃତ୍ୟୁବରଣ କରିଥିବା ଦୁଇ ଯୁବକ ଅନ୍ୟ ଏକ ବାଇକରେ ଭଗାମୁଣ୍ଡା ଯାଉଥିଲେ। ଆଲୁଘାଟିରେ ଦୁଇ ବାଇକ ମଧ୍ୟରେ ମୁଁହାମୁହିଁ ଧକ୍କା ହୋଇଥିଲା। ଏଥିରେ ଦୁଇ ବାଇକରେ ଥିବା ୫ ଜଣ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଅନ୍ୟ କୌଣସି ବଡ଼ ଗାଡ଼ି ସାଇଡ ମାରିଥିବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଖବର ପାଇ ଥାନା ଅଧିକାରୀ ଦେବକୀ ନାଏକ, ଏସ୍‌ଆଇ  ସୁରେଶ କୁମାର ମାଝି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଦୁଇ ଜଣଙ୍କୁ ପୁଲିସ ଗାଡ଼ିରେ ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ପଠାଇଥିଲେ। ଅନ୍ୟ ୩ ଜଣଙ୍କୁ ଦମକଳ ବାହିନୀ ଡାକ୍ତରଖାନାକୁ ଆଣିଥିଲା। ଡାକ୍ତର ସେଠାରେ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ  ଗୁରୁତର ଥିବା ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ଡାକ୍ତରଖାନାକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର