ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରସ୍ଥିତ ଗ୍ରାସିମ୍ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍ ଏସିଡ୍ (ଏଚ୍ସିଏଲ୍) ଉତ୍ପାଦନ ପ୍ଲାଣ୍ଟର ଷ୍ଟିମ୍ ପାଇପ୍ ଫାଟିବା ଘଟଣାରେ ଗୁରୁତର ଥିବା ଜଣେ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇଞ୍ଜିନିୟର ଅଭିଷେକ ପାଳ ପ୍ରାଣ ହରାଇଥିବା ଜଣାଯାଇଛି। ପାଞ୍ଚଦିନ ଧରି ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ସକାଳୁ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ତାଙ୍କର ଘର କଟକରେ ବୋଲି ଜଣାପଡ଼ିଛି । ପୂର୍ବରୁ ଗତ ଶୁକ୍ରବାର ଦିନ ହେଲପର୍ ଶଙ୍କର ରାଉଳଙ୍କ ମୃତ୍ୟୁ ଘଟିଥିଲା । ଏବେ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨ରେ ପହଞ୍ଚିଛି।
ସୂଚନାଯୋଗ୍ୟ, ଗ୍ରାସିମ ଇଣ୍ଡଷ୍ଟ୍ରିର ଷ୍ଟିମ ପାଇପ ଲାଇନ ଫାଟିବା ଘଟଣାରେ କାର୍ଯ୍ୟରତ ଜଣେ କେମିକାଲ୍ ଇଞ୍ଜିନିୟରଙ୍କ ସମେତ ୪ଜଣ ଆହତ ହୋଇଥିଲେ। ଆହତମାନେ ହେଲେ ଇଞ୍ଜିନିୟର ଅଭିଷେକ ପାଳ, ଅସ୍ଥାୟୀ କର୍ମଚାରୀ ଶଙ୍କର ରାଉଳ, ଅପେରେଟର୍ ଏସ୍. ଵୈଦେସ, ଓ ବେଣୁପାଣି ରେଡ୍ଡି। ଆହତଙ୍କୁ କମ୍ପାନୀ ପକ୍ଷରୁ ଆମ୍ବୁଲାନ୍ସରେ ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରୁ ବ୍ରହ୍ମପୁର ଏମକେସିଜିକୁ ଚିକିତ୍ସା ଲାଗି ପଠା ଯାଇଥିଲା। ତେବେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଇଞ୍ଜିନିୟର ଅଭିଷେକ ପାଳ ଓ ହେଲପର୍ ଶଙ୍କର ରାଉଳଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/grasim.jpg)