ଦୁଇ କାର୍‌ ଧକ୍କା: ମା ଓ ୨ ଶିଶୁ ମୃତ, ୫ ଗୁରୁତର

ଅନୁଗୁଳ : ବଅଁରପାଳ-ରାଉରକେଲା ଜାତୀୟ ରାଜପଥ-୧୪୯ର ପିତିରି ଛକ ସନ୍ନିକଟ ଭେଜିଆ ଗାଁ ଶିବ ମନ୍ଦିର ନିକଟରେ ଆଜି ଅପରାହ୍ଣରେ ଦୁଇଟି କାର୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଜଣେ ମହିଳା ଓ ତାଙ୍କର ପୁଅ ଓ ଝିଅ ପ୍ରାଣ ହରାଇଛନ୍ତି। ଏଥିରେ ମୃତ ମହିଳାଙ୍କ ସ୍ବାମୀଙ୍କ ସମେତ ଅନ୍ୟ ଦୁଇଜଣ ସହ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ପ୍ରଥମେ ତାଳଚେର ଡାକ୍ତରଖାନା ଏବଂ ପରେ ଅନୁଗୁଳ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଅନ୍ୟ କାର୍‌ର ଦୁଇ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ନାଲ୍‌କୋ ଡାକ୍ତରଖାନା ଓ ପରେ ସେଠାରୁ ଭୁବନେଶ୍ବରର ଆମ୍ରି ହସ୍ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବ୍ରହ୍ମପୁର ଖଲିକୋଟ ଥାନା ବାକୁଟୁ ଗାଁର ଶିବଶଙ୍କର ନାହାକ ଓରଫ ବୁଲୁ (୩୭) ଆଜି ସକାଳ ପ୍ରାୟ ସାଢେ ୯ଟା ବେଳେ ଏକ ଡଷ୍ଟର କାର୍‌ (ଓଡି ୦୨ ଆର-୨୯୪୪)ରେ ପତ୍ନୀ ଉଷା ନାହାକ (୩୩), ଝିଅ ମିତାଲି ଓରଫ ଦୀପା(୮), ପୁଅ ନିଖିଲ ଓରଫ ପପୁ (୭) ଓ ଶାଳକ ଲକ୍ଷ୍ମଣ ସାହୁ (୩୦)ଙ୍କ ସହ ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଦେଇ ସମ୍ବଲପୁର ସମଲେଶ୍ବରୀ ଦର୍ଶନ କରିବାକୁ ବାହାରିଥିଲେ। କାର୍‌ ଚାଳକ ବିଶ୍ବରଂଜନ ଶତପଥୀ (୩୪)ଙ୍କର ଏକ ଟ୍ରକ୍‌ କୋଇଡ଼ାରେ ଖରାପ ହୋଇଥିବାରୁ ସେଠାରେ ଏହି ଟ୍ରକ୍‌କୁ ଦେଖି ସେମାନେ ସମ୍ବଲପୁର ଯାଇଥାନ୍ତେ। ଅପରାହ୍ଣ ପ୍ରାୟ ସାଢେ ୪ଟା ବେଳେ ବଅଁରପାଳ-ରାଉରକେଲା ଜାତୀୟ ରାଜପଥ-୧୪୯ର ପିତିରି ଛକ ସନ୍ନିକଟ ଭେଜିଆ ଗାଁ ଶିବ ମନ୍ଦିର ନିକଟରେ ସମ୍ମୁଖରୁ ଆସୁଥିବା ଏକ ଇନୋଭା କାର୍‌ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଡଷ୍ଟର କାର୍‌ ଆରୋହୀ ଶିବଶଙ୍କରଙ୍କ ପୁଅ ପପୁ ଓ ଝିଅ ଦୀପାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଚାଳକ ବିଶ୍ବରଂଜନ ସମେତ ଶିବଶଙ୍କର, ପତ୍ନୀ ଉଷା ଓ ଶାଳକ ଲକ୍ଷ୍ମଣ ଗୁରୁତର ଆହତ ହୋଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବାଟରେ ଉଷାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଅନ୍ୟ ତିନିଜଣଙ୍କୁ ସେଠାରେ ରଖି ଚିକିତ୍ସା କରାଯାଉଛି। ଶିବଶଙ୍କର ଓ ଲକ୍ଷ୍ମଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଅନ୍ୟପକ୍ଷରେ ଇନୋଭା କାର୍‌ର ଦୁଇ ଆରୋହୀ ନଟବର ମହାନ୍ତି (୪୫) ଓ ସର୍ବେଶ୍ବର ମହାନ୍ତି (୪୩) ସଂପର୍କୀୟ ଭାଇ ଅଟନ୍ତି। ଉଭୟଙ୍କ ଘର ବଅଁରପାଳ ବ୍ଲକ ବଳରାମପ୍ରସାଦ ଗାଁରେ ଏବଂ ସେମାନେ ନାଲକୋର ସ୍ମେଲଟର ପ୍ଲାଣ୍ଟ ବ୍ୟାକ୍‌ ଫ‌େର୍ଣ୍ଣସ ବିଭାଗରେ କାର୍ଯ୍ୟ କରନ୍ତି। ଉଭୟେ ନିଜେ ଗାଡ଼ି ଚଳାଇ କୌଣସି କାର୍ଯ୍ୟରେ ପାଳଲହଡ଼ାରୁ ଫେରିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ସମ୍ବନ୍ଧିତ ଖବର