ବନ୍ତଳା: ଅନୁଗୁଳ ବ୍ଲକ ବାଳୁଅକଟା ଓ ପଞ୍ଚମହଲା ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ମାମୁଁ-ଭାଣେଜିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ବେଳେ ମା’ ଓ ୧୦ବର୍ଷର ଝିଅ ଗୁରୁତର ଆହତ ହୋଇଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ନିକଟସ୍ଥ ରାଣୀଗୋଡା ଗ୍ରାମର ସୁଜନ ସାହୁ(୩୫)ଆଜି ହୁଲୁରୁସିଂହା ଗ୍ରାମର ନିଜ ଭଉଣୀ ପଦ୍ମିନୀ ସାହୁ(୩୩) ଓ ଦୁଇ ଭାଣେଜି ଗାୟତ୍ରୀ ସାହୁ(୧୩) ଓ ବର୍ଷା ସାହୁ(୧୦)ଙ୍କୁ ନିଜ ବାଇକ(ଓଡ଼ି-୧୯-ଏସ-୩୬୩୩)ଯୋଗେ ବାଳୁଅକଟା ଗ୍ରାମକୁ ଆସିଥିଲେ। ବାଳୁଅକଟା ଗ୍ରାମରେ ଥିବା ନିଜ ସମ୍ପର୍କୀୟଙ୍କ ଘରେ ଭୋଜି କରିବା ସହ ବେଶ ହସଖୁସିରେ କିଛି ସମୟ କାଟିଥିଲେ।
ତେବେ କିଏ ଜାଣିଥିଲା ଯେ ବାଟରେ ଏଭଳି ଏକ ଦୁର୍ଘଟଣା ଘଟିବ, ଯେଉଁ ଦୁର୍ଘଟଣାରେ ମାମୁଁ ଓ ଭାଣେଜି ଙ୍କର ମୃତ୍ୟୁ ହେବ। ବାଳୁଅକଟା ଗ୍ରାମରୁ ଚାରିଜଣ ଯାକ ସେହି ବାଇକରେ ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ଅନୁଗୁଳ ଅଭିମୁଖେ ନିଜ ଘରକୁ ଫେରୁଥିଲେ। ତେବେ ଏତିକି ବେଳେ ବିପରୀତ ଦିଗରୁ ଏକ ଅଟୋ ଦ୍ରୁତଗତିରେ ଆସି ବାଇକକୁ ପିଟି ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୁଜନ ଓ ଗାୟତ୍ରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ପକ୍ଷରେ ମା’ ପଦ୍ମିନୀ ଓ ଝିଅ ବର୍ଷା ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସେଠାରେ ଚାପା ଉତେଜନା ଦେଖାଦେଇଥିଲା। ଉଭୟ ପାର୍ଶ୍ଵରୁ ଗାଡି ଚଳାଚଳ କିଛି ସମୟ ପାଇଁ ବନ୍ଦ ରହିଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ପଠାଇଛି।