ପରିବାବିକାଳିଙ୍କ ଉପରେ ମାଡ଼ିଗଲା ଗାଡ଼ି; ୨ ମହିଳା ମୃତ, ୨ ଗୁରୁତର

ଗଞ୍ଜାମ/ରମ୍ଭା : ଗଞ୍ଜାମ ଜିଲ୍ଲା ରମ୍ଭା ସହର ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥ ବିରୁଳିଗଡ଼ ଛକରେ ସୋମବାର ସକାଳ ୮ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣ ମହିଳା ପ୍ରାଣ ହରାଇଛନ୍ତି। ରାସ୍ତାକଡ଼ରେ ବସି ପରିବା ବିକୁଥିବା ଜଣେ ମହିଳାଙ୍କ ଉପରେ ଏକ ଟାଟା ଏସିଇ ଗାଡ଼ି (ଓଡ଼ି-୦୭-ପିଓ ୦୧୩୯) ଭାରସାମ୍ୟ ମାଡ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ମିଞ୍ଚିନିପାଟଣାର ପରିବାବିକାଳି ଏସ୍.ଲକ୍ଷ୍ମୀ ପାତ୍ର (୩୫)। ସେହିପରି ତାଙ୍କ ପାଖରୁ ପରିବା କିଣୁଥିବା ପୋଲସରାର ମମତା ସାହୁ (୪୦) ମଧ୍ୟ ପ୍ରାଣ ହରାଇଛନ୍ତି। ମୃତ ଲକ୍ଷ୍ମୀଙ୍କ ସ୍ବାମୀ ଲାଛମେୟା ଓ ମମତାଙ୍କ ସ୍ବାମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସୂଚନା ପ୍ରକାରେ, ବିରୁଳିଗଡ଼ ଛକ ନିକଟସ୍ଥ ଓଭରବ୍ରିଜ୍ ନିକଟରେ ଦ୍ରୁତଗତିରେ ଆସୁଥିବା ଉକ୍ତ ଟାଟା ଏସିଇଟି ଭାରସାମ୍ୟ ହରାଇ ପ୍ରଥମେ ଏକ ମୋପେଡ଼କୁ ପଛରୁ ଧକ୍କା ଦେଇଥିଲା। ଏହାପରେ ରାସ୍ତାକଡ଼ରେ ପରିବା ବିକ୍ରି କରୁଥିବା ବ୍ୟବସାୟୀଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଲକ୍ଷ୍ମୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ବାମୀ ଲାଛମେୟାଙ୍କ ସମେତ ପରିବା କିଣୁଥିବା ମମତା ଏବଂ ତାଙ୍କ ସ୍ବାମୀ ମଧ୍ୟ ଗୁରୁତର ହୋଇଥିଲେ। ରମ୍ଭା ଥାନାଧିକାରୀ ପି.ସ୍ୱରୂପ କିଷାନ, ଏସଆଇ ବିକାଶ କୁମାର ସାମଲ ଓ ଏଏସଆଇ ଛବିରାଣୀ ନାୟକ ଘଟଣାସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ତେବେ ମମତାଙ୍କୁ ମୃତ ଘୋଷଣା କରାଯାଇଥିଲା।

ଏହି ଘଟଣା ପରେ ଉତ୍ତେଜନା ଦେଖାଦେଇଥିଲା। କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତିର୍ମୟୀ ଦାଶ ଓ ଛତ୍ରପୁର ଏସଡିପିଓ ଗୌତମ କିଷାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ରାସ୍ତାରୋକ ହଟିଥିଲା। ବୁରୁଡ଼ି ଆରଆଇ ସୀତାରାମ ସାହୁ ଓ ରମ୍ଭା ଆରଆଇ ଉଦିତ କୁମାର ଯାଦବ ପ୍ରମୁଖ ଉପସ୍ଥିତ ଥିଲେ। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଚାଳକ ଫେରାର୍ ଥିବା ଜଣାପଡ଼ିଛି। ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର