ଗେଷ୍ଟ ହାଉସ୍‌ରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର

ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ରୁମରୁ ଛୁରି ଓ ବିଷଡ଼ବା ଜବତ

ଭଦ୍ରକ : ଭଦ୍ରକର ଏକ ଘରୋଇ ଗେଷ୍ଟ ହାଉସରୁ ଯୁବକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରିଛି ଭଦ୍ରକ ଟାଉନ ପୁଲିସ। ଉଭୟଙ୍କର ମୃତ ଦେହ ଜବତ କରି ପୁଲିସ ଭଦ୍ରକ ମେଡିକାଲକୁ ଶବ ବ୍ୟବଚ୍ଛେଦ କରିବାକୁ ଆଣିଥିବା ବେଳେ ମେଡିକାଲ ପରିସରରେ ଚାପା ଉତ୍ତେଜନା ଲାଗିରହିଥିଲା। ଗେଷ୍ଟ ହାଉସ୍ ଭିତରୁ ଏକ ରକ୍ତଭିଜା ଛୁରି ପୁଲିସ ଜବତ କରିଛି। ଉଭୟଙ୍କ ଭିତରେ ପ୍ରେମ ସଂପର୍କରୁ ଏଇ ଘଟଣା ଘଟିଥିବା ନେଇ ପୁଲିସ ସନ୍ଦେହ କରୁଛି। ଯୁବକଙ୍କ ଘର ପୁରୁଣାବଜାର ମୁଲାସାହିର ହୋଇଥିବା ବେଳେ ଯୁବତୀ ଜଣଙ୍କ ଘର ଭଦ୍ରକର ପୋଷ୍ଟ ଅଫିସ ଛକ ନିକଟରେ ବୋଲି ଜଣାପଡିଛି।

ଘଟଣାରୁ ପ୍ରକାଶ ଯେ, ଉଭୟ ଯୁବକ ଯୁବତୀ ଆଜି ସକାଳ ସାଢେ ଛଅଟା ବେଳେ ସ୍ବାମୀ ସ୍ତ୍ରୀର ପରିଚୟ ଦେଇ ଭଦ୍ରକର କୁଆଁଶସ୍ଥିତ ସାଳନ୍ଦୀ ଗେଷ୍ଟ ହାଉସରେ ରହିଥିଲେ। କିଛି ସମୟ ପରେ ରହୁଥିବା ରୁମ୍‌ରୁ ଚିତ୍କାର ଶୁଭିଥିଲା। କର୍ମଚାରୀମାନେ ରୁମ୍‌ କବାଟ ବାଡେଇଲେ ବି କେହି ନ ଶୁଣିବାରୁ ମାଲିକ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏହି ଯୁବକ ଯୁବତୀ ପଡିଥିବାର ଦେଖିଥିଲେ। ଖବର ପାଇ ଭଦ୍ରକ ଟାଉନ ଆଇଆଇସି ସରୋଜିନୀ ସିଂହ ପହଞ୍ଚି ଗେଷ୍ଟ ହାଉସ ରୁମ୍ ଭିତରୁ ଯୁବକ ଯୁବତୀଙ୍କର ମୃତ ଦେହ ଉଦ୍ଧାର କରିଥିଲେ। ରୁମରୁ ଏକ ରକ୍ତଭିଜା ଧାରୁଆ ଛୁରି ଓ ବିଷ ଡବା ମିଳିଥିଲା। ପୁଲିସ ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଭଦ୍ରକ ମେଡିକାଲକୁ ଆଣି ତଦନ୍ତ ଆରମ୍ଭ କରିଥିଲେ। ଯୁବକ ଜଣଙ୍କ ପୁରୁଣାବଜାର ଅଞ୍ଚଳର ଅବଦୁଲ ରହିବ (୨୨)। ଯୁବତୀଙ୍କ ଘର ପୋଷ୍ଟ ଅଫିସ ଛକ ନିକଟରେ ବୋଲି ଜଣାପଡିଛି। ଉଭୟ ଯୁବକ ଯୁବତୀ ଦୁଇ ଅଲଗା ସଂପ୍ରଦାୟର ହୋଇଥିବାରୁ ସେମାନଙ୍କର ପ୍ରେମ ସଂପର୍କ ସଫଳ ହୋଇ ନ ପାରିବା କାରଣରୁ ଉଭୟ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସନ୍ଦେହ କରୁଛି। ଅପରପକ୍ଷରେ ଏମାନଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ମଧ୍ୟ ପୁଲିସ ସନ୍ଦେହ ଘେରକୁ ଆଣିଛି। ପୁଲିସ ଉଭୟ ଦିଗରେ ତଦନ୍ତ ଆରମ୍ଭ କରିଥିବା ବେଳେ କୌଣସି ପ୍ରମାଣ ପାଇ ନ ଥିବା କହିଛି। ଉଭୟ ପୁଅ ଓ ଝିଅ ପରିବାରଙ୍କର ମତାମତ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଗେଷ୍ଟ ହାଉସର ମାଲିକ ଓ ମ୍ୟାନେଜରଙ୍କୁ ଅଟକ ରଖି ପଚରା ଉଚରା କରୁଛି। ସନ୍ଧ୍ୟାରେ ବାଲେଶ୍ବରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର