ରାୟଗଡ଼ : ପାହାଡ଼ ପାଣି ସୁଅରେ ସ୍କୁଲ୍ ଗୃହରେ ଆଶ୍ରୟ ନେଇଥିବା ୮ ଜଣ ଭାସି ଯାଇଛନ୍ତି। ଗତକାଲି ଏହି ଘଟଣା ଜଣା ପଡ଼ିଥିବାବେଳେ ଆଜି ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ମିଳିଛି। ଅନ୍ୟମାନେ ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ‘ତିତ୍ଲି’ ବାତ୍ୟାରେ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଏହି ଜିଲ୍ଲାରେ ହିଁ ଲୋକଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଏହି ଜିଲ୍ଲା ଅନ୍ତର୍ଗତ ରାୟଗଡ଼ ବ୍ଲକ୍ର ବାରଘର ନିକଟରେ ପାହାଡ଼ ଧସି ୧୫ ଜଣଙ୍କ ମୃତ୍ୟୁ ଘଟିବା ଭଳି ମାଢ଼ା ଗ୍ରାମ ନିକଟ ମହେନ୍ଦ୍ରତନୟା ପାହାଡ଼ ପାଦଦେଶରେ ଅନୁରୂପ ଘଟଣା ଘଟିଛି। ଗତକାଲି ପାହାଡ଼ ପାଦଦେଶରେ ପାଣି ସୁଅରେ ସ୍କୁଲ ଘରେ ଆଶ୍ରୟ ନେଇଥିବା ୮ ଜଣ ଭାସି ଯାଇଥିବା ଖବର ମିଳିଥିଲା। ଆଜି ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଶବ ଗ୍ରାମବାସୀଙ୍କ ଉଦ୍ୟମରେ ଉଦ୍ଧାର କରାଯାଇଛି। ସେମାନେ ହେଲେ ଦୟା ରଇତ(୫୦) ଓ ଟୁନା ଶବର(୫)। ଏବେ ମଧ୍ୟ ନିଖୋଜ ଥିବା ଅନ୍ୟ ୬ ଜଣଙ୍କ ମଧ୍ୟରେ ଏକ ୮ ମାସର ଶିଶୁ ମଧ୍ୟ ରହିଛି। ନିଖୋଜ ବ୍ୟକ୍ତିମାନେ ହେଲେ ସବିତା ଶବର(୩୫),ପୂର୍ଣ୍ଣମୀ ମଣ୍ଡଳ(୫), ମାଳତୀ ରଇତ(୩୦), ସୁନିଲ ରଇତ(୪)। ତିତଲି ବାତ୍ୟା ସମୟରେ ସେମାନେ ମହେନ୍ଦ୍ରଗିରି ପାହାଡ଼ ପାଦଦେଶରେ ଥିବା ସ୍କୁଲ ଘରେ ଆଶ୍ରୟ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ବାତ୍ୟା ସହ ମୂଷଳ ବର୍ଷା ଫଳରେ ପାହାଡ଼ ଉପରୁ ପ୍ରବଳ ବେଗରେ ବର୍ଷା ପାଣି ମାଡ଼ି ଆସିଥିଲା। ମାଢ଼ା ଗ୍ରାମ ସ୍କୁଲ ଘର ସମେତ ଏ ସମସ୍ତଙ୍କୁ ପାହାଡ଼ ପାଣି ପୋଛି ନେଇଗଲା। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ପକ୍ଷରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ୍ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହାନ୍ତି।
ଋଷିକୁଲ୍ୟାେର ଭାସିଗଲେ ଛାତ୍ର
ସୋରଡ଼ା : ଗଂଜାମ ଜିଲ୍ଲା ସୋରଡ଼ା ବ୍ଲକ ନୂଆଗଡ଼ ଗ୍ରାମର ଏସ. ବିକାଶ ଦୋରା (୧୬) ନାମକ ଜଣେ କଲେଜ ଛାତ୍ର ଆଜି ଋଷିକୁଲ୍ୟା ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି। ଖର୍ଯ୍ୟନ୍ତ ବୋଟ୍ ଦ୍ବାରା ସନ୍ଧାନ କାର୍ଯ୍ୟ ଜାରି ରଖିଛନ୍ତି। ଆଜି ସକାଳ ୮ଟାରେ କୃଷ୍ଣମୂର୍ତିଙ୍କ ସାନପୁଅ ବିକାଶ ଗାଧୋଇବାକୁ ଋଷିକୁଲ୍ୟା ନଦୀକୁ ଯାଇଥିବା ବେଳେ ହଠାତ୍ ଭାସିଯାଇଥିଲେ। ଜଳର ସ୍ରୋତ ଅଧିକ ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇ ପାରି ନଥିଲା। ସେ ମୁଣ୍ଡମରାଇ ସୋମନାଥ ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ର ବୋଲି ଜଣାପଡ଼ିଛି ।
ବିଭିନ୍ନ ସ୍ଥାନରେ ଆଉ ୩ ନିଖୋଜ
ରାୟଗଡ଼ : ଅନ୍ୟ କେତେକ ସ୍ଥାନରେ ୩ ଜଣ ନିଖୋଜ ହୋଇଯାଇଛନ୍ତି। ରାୟଗଡ଼ ବ୍ଲକର ସୁଆବା ଗ୍ରାମର ମା ଓ ପୁଅ ଆଶ୍ରି ଜାନି(୯୦) ଓ ଶେଖର ଜାନି(୪୦) ନିଖୋଜ ଥିବା ବେଳେ ଓଡ଼ାଲିଙ୍ଗି ଗ୍ରାମର କୁସୁଲୀ ଧାଙ୍ଗଡ଼ ମଣ୍ଡଳ(୨୦)ଙ୍କର ମଧ୍ୟ କୌଣସି ପତ୍ତା ମିଳୁନାହିଁ। ଲାଙ୍ଗା ସାହି ଗ୍ରାମର ପାତ୍ର ଶବର(୫୦)ଙ୍କର ମଧ୍ୟ ବାତ୍ୟା ପରଠାରୁ କୌଣସି ଖୋଜ ଖବର ମିଳୁ ନଥିବା ପ୍ରକାଶ।