ବନ୍ତଳା: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ମଙ୍ଗଳବାର ୨ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ୧୫ବର୍ଷ ବୟସ୍କ ଦନ୍ତା ସହ ୫ବର୍ଷ ବୟସ୍କ ମାଈ ହାତୀଙ୍କ ଗଳିତ ମୃତଦେହକୁ ବନବିଭାଗ ଜବତ କରିଛି। ରାସ୍ତାକଡ଼ରେ ୨ଟି ହାତୀ ମରି ପଡ଼ିଥିବା କିଛି ଗାଈ ଚରାଳି ଦେଖି ବନବିଭାଗକୁ ଖବର ଦେବା ପରେ ସାତକୋଶିଆ ଡିଏଫ୍‌ଓ ସରୋଜ ପଣ୍ଡା ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତଦେହ ପଡ଼ିଥିବା ସ୍ଥାନ ନିକଟରେ ୧୧କେଭି ବିଦ୍ୟୁତ୍ ତାର ଯାଇଥିବାରୁ ବିଦ୍ୟୁତ୍‌ ତାର ଆଘାତରେ ହାତୀ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପ୍ରାୟ ବର୍ଷେ ପରେ ସାତକୋଶିଆ ଅଭୟାରଣ୍ୟ ଭିତରେ ଏଭଳି ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ଜଣାପଡ଼ିଛି।
ଅନୁଗୁଳ ଜିଲ୍ଲା ସାତକୋଶିଆ ବନଖଣ୍ଡ ପମ୍ପାସର ରେଞ୍ଜ ଅଧୀନ ଟାଇଁସି ସଂରକ୍ଷିତ ଜଙ୍ଗଲ କମ୍ପାଟ୍‌ମେଣ୍ଟ୍‌ ୯ର ରାସ୍ତା କଡ଼ରେ ୨ଟି ହାତୀଙ୍କ ଗଳିତ ମୃତଦେହ ପଡ଼ିଥିଲା।

Advertisment

ସେହି ପାଖରେ ଆଜି କିଛି ଗାଈ ଚରାଳି ଗୋରୁ ନେଇ ଯାଇଥିବା ବେଳେ ପ୍ରବଳ ଗନ୍ଧ ହେବାରୁ ପାଖକୁ ଯାଇ ହାତୀର ମୃତଦେହ ଦେଖିଥିଲେ। ତୁରନ୍ତ ସେମାନେ ବନବିଭାଗକୁ ଖବର ଦେବା ପରେ ଡିଏଫ୍‌ଓ ଶ୍ରୀ ପଣ୍ଡାଙ୍କ ସମେତ ଏସିଏଫ୍‌ ଶୁଭେନ୍ଦୁ ବେହେରା, ରେଞ୍ଜର, ଫରେଷ୍ଟର୍‌ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥି‌ଲେ। ସେହିପରି ଜରପଡ଼ା ସେକ୍ସନ୍‌ ବିଦ୍ୟୁତ୍‌ ବିଭାଗ କନିଷ୍ଠ ଯନ୍ତ୍ରୀ ପପୁ ‌ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନବିଭାଗ ୨ଟି ଯାକ ଗଳିତ ଶବ ଜବତ କରିଥିବା ବେ‌ଳେ ପାଖରେ ପଡ଼ିଥିବା କିଛି ବିଦ୍ୟୁତ୍‌ ତାର ମଧ୍ୟ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଡିଏଫ୍‌ଓ ଶ୍ରୀ ପଣ୍ଡା କହିଛନ୍ତି। ତେବେ ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍‌ ଆଘାତରେ ହାତୀ ମୃତ୍ୟୁ ହୋଇଥାଇପାରେ ବୋଲି ବନବିଭାଗ ଅନୁମାନ କରୁଛି। ଗତ ୧ କିମ୍ବା ୨ ତାରିଖରେ ହାତୀ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପାଖରେ ୧୧ କେଭି (କେବୁଲ ଯୁକ୍ତ) ବିଦ୍ୟୁତ୍‌ ତାର ଯାଇଛି। କିନ୍ତୁ ସେଥିରେ ହୁକିଂ କରାଯାଇଥିବା ଜଣାପଡ଼ିଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି। ବିଦ୍ୟୁତ୍ ବିଭାଗ ଓ ବନ ବିଭାଗ ମିଳିତ ଭାବେ ଏହାର ତଦନ୍ତ କରୁଛନ୍ତି। ଏସ୍‌ଟିଏଫ୍‌ ଅପରାହ୍‌ଣରେ ଘଟଣାସ୍ଥଳରେ ପହଞ୍ଚି ସ୍ବତନ୍ତ୍ର ଭାବେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଅଭୟା‌ରଣ୍ୟ ଭିତରେ ଦୁଇ ଦୁଇଟି ହାତୀ ମରିପଡ଼ିଥିବାରୁ ହାତୀ ସୁରକ୍ଷା ନେଇ ଏବେ ପ୍ରଶ୍ନ ଉଠିଛି।

ସୂଚନା ଅନୁସାରେ, ହାତୀଦ୍ବୟଙ୍କର ଗଳିତ ମୃତଦେହରୁ ପ୍ରବଳ ଗନ୍ଧ ହେଉଥିବା ବେଳେ ପାଖକୁ ଯାଇ ହେଉନାହିଁ। ଦେହସାରା ପୋକ ସାଲୁବାଲୁ ହେଉଛନ୍ତି। ଜଙ୍ଗଲ ଭିତରେ ଜଗନ୍ନାଥପୁରରୁ ଟିକରପଡ଼ା ଯାଇଥିବା ମୁଖ୍ୟରାସ୍ତାର ତରଭା ଦୁଇଶହ ନାଳି ପାଖରେ ରାସ୍ତାର ଡାହାଣ ପଟେ ମୃତଦେହ ଦୁଇଟି ଯାକ ପଡ଼ିଥିବା ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତା ପାଖରୁ ୩୫ ମିଟର ଦୂରରେ ଛୁଆ ମାଈ ହାତୀ ପଡ଼ିଛି ଓ ତା’ଠାରୁ ଆଉ ୩୫ ମିଟର ଦୂରରେ ଦନ୍ତା ହାତୀର ମୃତଦେହ ପଡ଼ିଛି। ତେବେ ଶିକାର ସମୟରେ ଆଘାତ ଏତେ ଜୋର୍‌ ଥିଲା ଯେ, ଦୁଇଟି ଯାକ ହାତୀଙ୍କ ମଳ ବାହାରି ଆସିଥିବା ବେଳେ ପାଖରେ ଥିବା ଭୂଇଁ ଓ ବୁଦା ସେମାନେ ବିଦାରି ପକାଇଥିବା ଦେଖିବାକୁ ମିଳିଛି। ରାସ୍ତା ପାଖରେ ହାତୀ ଚଲାପଥ ରହିଥିବାରୁ ସେମାନେ ରାସ୍ତା ପାର ହେବା ପାଇଁ ଆସିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଅନ୍ୟପଟେ ମୃତଦେହରୁ ଦାନ୍ତ, ଚମଡ଼ା କିମ୍ବା ଅନ୍ୟାନ୍ୟ ଅଂଶ ଗାଏବ ହୋଇ ନଥିବାରୁ ଏହା ହାତୀ ଶିକାର ପାଇଁ ନୁହେଁ ବରଂ ଅନ୍ୟ ଜନ୍ତୁ ଶିକାର ପାଇଁ ଫାଶ ବସିଥାଇପାରେ ବୋଲି ଡିଏଫ୍‌ଓ ସୂଚନା ଦେଇଛନ୍ତି।