କେନ୍ଦୁଝର : କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଏହି ଗ୍ରାମର ଏକ ଘର ଭିତରୁ ୨ ଜଣଙ୍କର ମୃତଦେହ ଠାବ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ବିବାହିତା ମହିଳା ଥିବା ବେଳେ ଅନ୍ୟ ଜଣେ ଯୁବକ ଅଛନ୍ତି। ମୃତକ ହେଉଛନ୍ତି ନୂଆବନ୍ଧ ଗ୍ରାମର ଚନ୍ଦ୍ରଶେଖର ନାଏକଙ୍କ ସ୍ତ୍ରୀ ପୁଷ୍ପଲତା ନାଏକ(୨୫) ଏବଂ ଉକ୍ତ ଗ୍ରାମର ରାବଣ ନାଏକଙ୍କ ପୁଅ ସଞ୍ଜୟ ନାଏକ(୨୪)।

Advertisment

ଏ ଦୁହେଁ ସମ୍ପର୍କରେ ଦିଅର ଏବଂ ଭାଉଜ ବୋଲି ଜଣାଯାଇଛି। ତେବେ ପୁଷ୍ପଲତା ଓ ସଞ୍ଜୟଙ୍କ ମୃତ୍ୟୁର କାରଣ ଏଯାବତ୍ ଅସ୍ପଷ୍ଟ ଅଛି। ସଞ୍ଜୟ ଅବିବାହିତ ଓ ସେ ଯୋଡ଼ାରେ ରହୁଥିଲେ। ଗତକାଲି ଘରକୁ ଆସି ଡ୍ରେସ କିଣାକିଣି କରି ଘରକୁ ମାଂସ ଆଣି ଖାଇପିଇ ସାଙ୍ଗ ମାନଙ୍କ ସହ ଶୋଇବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତ୍ରିରେ ତାଙ୍କର ବାନ୍ତି ହୋଇଥିଲା। ତା’ପରେ ସେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ।

publive-image

ଅନ୍ୟପଟେ ପୁଷ୍ପଲତା ତାଙ୍କ ଘରେ ନିଜର ଏକ ମାତ୍ର ୬ବର୍ଷର ଝିଅ ସହିତ ଶୋଇଥିଲେ। ସକାଳେ ଉଠିବାରେ ବହୁ ବିଳମ୍ବ ହେବାରୁ ବାହାର ପଟୁ ଡାକ ଦେବାରୁ ତାଙ୍କ ଝିଅଟି ଉଠିଥିଲା। ଏହାପରେ  ପୁଷ୍ପଲତା ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କ ପାଖରେ ଏକ କୀଟନାଶକ ବୋତଲ ପଡ଼ିଥିବା ଦେଖା ଯାଇଥିଲା । ମୃତଦେହ ନିକଟରେ କୀଟନାଶକ ଔଷଧ ପଡ଼ିଥିବା ହେତୁ ପ୍ରେମଜନିତ କାରଣରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ ଉଭୟଙ୍କ ଭିତରେ କିଛି ଦିନ ହେବ ପ୍ରେମ ସଂପର୍କ ଗଢ଼ିଉଠି ଥିଲା। କିନ୍ତୁ ଏହାକୁ ନେଇ ପରିବାରରେ ଅସନ୍ତୋଷ ଲାଗି ରହିଥିଲା।

ଖବର ପାଇ ଘଟଣାସ୍ଥଳରେ ପାଟଣା ପୁଲିସ ପହଞ୍ଚି ପୁଷ୍ପଲତା ଓ ସଞ୍ଜୟଙ୍କ ମୃତଦେହକୁ ଜବତ କରିବା ସହିତ ମୃତଦେହ ନିକଟରୁ କୀଟନାଶକ ବୋତଲ ଜବତ କରିଛି।ପୁଲିସ୍ ଏହି ଘଟଣାର ଅଧିକ ତଦନ୍ତ କରୁଛି।