ପାଗଳୀ ନେଲା ୨ ଜୀବନ : ନିଜ ସନ୍ତାନର ତଣ୍ଟି ଚିପିବା ସହ ମହିଳାଙ୍କୁ ବୁଡ଼‌ାଇ ମାରିଲା

ଝୁମ୍ପୁରା : କେନ୍ଦୁଝର ଜିଲ୍ଲା ବାରିଆ ଥାନା ନିକଟ ବୈକୁଣ୍ଠପୁର ମୁଣ୍ତାସାହିରେ ଅଭାବନୀୟ ଘଟଣା ଘଟିଛି। ଜଣେ ପାଗଳୀର ଉନ୍ମତ୍ତକାଣ୍ଡ ଯୋଗୁଁ ଦୁଇଟି ଜୀବନ ଯାଇଛି। ଏହି ପାଗିଳୀ ହେଉଛି ବୈକୁଣ୍ଠପୁର ମୁଣ୍ଡାସାହିର ଲକ୍ଷ୍ମୀ ମୁଣ୍ତା। ମିଳିଥିବା ସୂଚନା ଅନୁସାରେ, ପାଗିଳୀ ପ୍ରଥମେ ନିଜର ୪ ମାସର ଶିଶୁକନ୍ୟାକୁ ତଣ୍ଟିଚିପି ଏବଂ କାମୁଡ଼ି ହତ୍ୟା କରିଥିଲା। କିଛି ସମୟ ପରେ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଲକ୍ଷ୍ମଣ ମୁଣ୍ତାଙ୍କ ସ୍ତ୍ରୀ ବାସନ୍ତୀ ମୁଣ୍ତା (୩୦)ଙ୍କୁ ଏକୁଟିଆ ପାଇ ପାଣିରେ ବୁଡ଼ାଇ ମାରି ଦେଇଥିଲା। ଗ୍ରାମବାସୀ ପହଞ୍ଚିଲା ବେଳକୁ ଜୀବନ ଚାଲିଯାଇଥିଲା।
ତାଙ୍କ ପରିବାର ଲୋକଙ୍କ ସୂଚନା ଅନୁସାରେ ଲକ୍ଷ୍ମୀଙ୍କର ପୂର୍ବରୁ ମାନସିକ ବିକୃତି ରହିଥିଲା। ଅର୍ଥାଭାବ ଓ ସଚେତନତା ଅଭାବରୁ ତାକୁ ଡାକ୍ତରଖାନା ନନେଇ ଗୁଣିଆ ନିକଟରେ ଝଡ଼ାଫୁଙ୍କା କରୁଥିଲେ। ଯାହା ଫଳରେ ତା’ର ମାନସିକ ସ୍ଥିତି ଅନିୟନ୍ତ୍ରିତ ଅବସ୍ଥାକୁ ଚାଲିଯାଇଥିଲା।

ତେବେ,ଗ୍ରାମବାସୀମାନେ ଏହି ଘଟଣାକୁ ସହଜ‌େର ଗ୍ରହଣ କରିନାହାନ୍ତି। ଗ୍ରାମରେ ଉତ୍ତେଜନା ପ୍ରକାଶ ହେବା ସହିତ ଶୋକର ଛାୟା ଖେଳିଯାଇଛି।

ଖବର ପାଇ ଘଟଣାସ୍ଥଳରେ ବାରିଆ ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି, ଏଏସ୍‌ଆଇ କୈଳାସ ଚନ୍ଦ୍ର ବଦ୍ରା ଓ ହରେକୃଷ୍ଣ ଜେନା ପ୍ରମୁଖ ପହଞ୍ଚି ଶବ ଜବତ କରିଥିଲେ। ଆଜି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ପଠାଯିବା ସହ ଲକ୍ଷ୍ମୀ ମୁଣ୍ଡାକୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର