ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନନ୍ଦିଗୋର ତୋଟା ନିକଟରେ ଆଜି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟାଟା ଏସିଇ ଭ୍ୟାନ୍ ଭାରସାମ୍ୟ ହରାଇ ଚିକେନ୍ ଦୋକାନ ଉପରକୁ ମାଡ଼ିଯିବାରୁ ଏଥିରେ ଗ୍ରାହକଙ୍କ ସମେତ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକମାନେ ହେଲେ, ଗ୍ରାହକ ମଗୁରାପଲ୍ଲୀର ପଞ୍ଚୁ ବେହେରା (୫୫) ଓ ଚିକେନ୍ ଦୋକାନ ମାଲିକଙ୍କ ଭଉଣୀ ଗଡ଼ଦାମୋଦରପଲ୍ଲୀର ସୁଜାତା ସେଠୀ (୨୨)। ସେହିପରି ଟାଟା ଏସିଇ ଭ୍ୟାନ୍ ଡାଲାରେ ବସିଥିବା ଜାନିବିଲି ଗ୍ରାମର ବିଜୁ ଗୌଡ଼ (୩୫) ଏଥିରେ ଗୁରୁତର ହୋଇଛନ୍ତି।
ସୂଚନା ପ୍ରକାରେ, ନନ୍ଦିଗୋର ତୋଟା ସ୍ଥିତ ଚିକେନ୍ ଦୋକାନକୁ ପଞ୍ଚୁ ବେହେରା ମାଂସ କିଣିବାକୁ ଆସି ଅପେକ୍ଷା କରିଥିବା ବେଳେ ଚିକେନ୍ ଦୋକାନୀଙ୍କ ଭଉଣୀ ସୁଜାତା ମଧ୍ୟ ସେଠାରେ ଥିଲେ। ଏହି ସମୟରେ ସୋରଡ଼ା ଆଡ଼କୁ ଦ୍ରୁତଗତିରେ ଯାଉଥିବା ଉକ୍ତ ଟାଟା ଏସିଇ ଭ୍ୟାନ୍ଟି (ଓଡ଼ି-୩୨ ଏଫ୍ ୩୪୮୨) ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡ଼ି ଯାଇ ଦୋକାନକୁ ଧସାଇବା ପରେ ବିଲମାଳରେ ପଶି ଯାଇଥିଲା। ସମସ୍ତଙ୍କୁ ଧରାକୋଟ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ପଞ୍ଚୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୁଜାତା ଓ ବିଜୁଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲ ସ୍ଥାନାନ୍ତର କରା ଯାଉଥିବା ବେଳେ ଅଧା ରାସ୍ତାରେ ଆସିକାରେ ସୁଜାତାଙ୍କ ମୃତ୍ୟୁ ହୋଇଥିଲା। ବିଜୁଙ୍କ ଚିକିତ୍ସା ଚାଲିଛି। ଧରାକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ କରି ତଦନ୍ତ ଆରମ୍ଭ କରିଛି। ଚାଳକ ଫେରାର୍ ଥିବା ଜଣାପଡ଼ିଛି।