ଦୁଇ ବାଇକ୍ ଧକ୍କା, ୨ ମୃତ

ପାଇକମାଳ : ବରଗଡ଼ ଜିଲ୍ଲା ପାଇକମାଳ-ପଦ୍ମପୁର ବିଜୁ ଏକ୍ସପ୍ରେସ୍‌ ୱେ’ର ରଞ୍ଜିତପୁର ଛକ ନିକଟରେ ବୁଧବାର ରାତି ୧୨ଟା ସମୟରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ଚାଳକ ପ୍ରାଣ ହରାଇଛନ୍ତି। ମୃତକ ଦ୍ବୟ ହେଲେ ରଞ୍ଜିତପୁର ଗାଁର ଯଶୋବନ୍ତ ମେହେର ଓ ଝାରବନ୍ଧ ବ୍ଲକ୍‌ ବିଳାସପୁର ଗାଁର ଗୋପବନ୍ଧୁ ସୁନା।

ପୁଲିସ୍‌ର ସୂଚନାନୁସାରେ, ରଞ୍ଜିତପୁର ଗାଁର ଯଶୋବନ୍ତ ପତ୍ନୀ ଓ ପୁଅ ସହିତ ତାଙ୍କ ବାଇକ୍‌ (ଓଡି ୧୬-୬୦୭୩)ରେ ମା’ ନିଶାନି ଦେବୀଙ୍କ ମନ୍ଦିରରୁ ଯାତ୍ରା ଦେଖି ଫେରୁଥିଲେ। ଏହି ସମୟରେ ପାଇକମାଳ ପଟରୁ ଆସୁଥିବା ବିଳାସପୁର ଗାଁର ଗୋପବନ୍ଧୁଙ୍କ ବାଇକ୍‌ (ଓଡି୧୭-ଏ-୫୩୯୧) ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଗୋପବନ୍ଧୁ ଓ ଯଶୋବନ୍ତ ସମେତ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟ ଯଶୋବନ୍ତ ଓ ଗୋପବନ୍ଧୁ ଶେଷନିଶ୍ବାସ ତ୍ୟାଗ କରିଥିଲେ। ମୃତ ଯଶୋବନ୍ତଙ୍କ ପୁଅକୁ ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ମୃତ୍ୟୁ ଖବର ପାଇବା ପରେ ପାଇକମାଳ ପୁଲିସ୍‌ ଡାକ୍ତରଖାନାକୁ ପହଂଚି ବ୍ୟବଚ୍ଛେଦ କରାଇବା ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଥାନା କେସ୍‌ ନମ୍ବର ୭୬/୨୩ରେ ମାମଲା ରୁଜୁ କରି ଏସ୍‌ଆଇ ବିମଳ ଲାକ୍ରା ଘଟଣାର ତଦନ୍ତ ଜାରି ରଖିଛନ୍ତି ବୋଲି ଥାନାଧିକାରୀ ସୁଶାନ୍ତ ବଢ଼େଇ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର