ଦୁର୍ଘଟଣାରେ ଗୃହରକ୍ଷୀ, ଚାଳକ ମୃତ

ଟ୍ରକ୍ ଧକ୍କାରେ ପୁଲିସ ଗାଡ଼ି ଚୂରମାର, ୨ ପୁଲିସ କର୍ମଚାରୀ ଗୁରୁତର

ବୌଦ୍ଧ/ଲକ୍ଷ୍ମୀପ୍ରସାଦ/ବାଉଁଶୁଣି/ଜହ୍ନାପଙ୍କ ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୌଦ୍ଧ ଥାନା କମଳପୁର ଛକ ନିକଟରେ ବୁଧବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଉଁଶୁଣି ଥାନା ପୁଲିସ କର୍ମଚାରୀମାନଙ୍କୁ ନେଇ ଫେରୁଥିବା ବଲେରୋକୁ ଏକ ସ୍ଲେଟ୍‌ ପଥର ବୋଝେଇ ଟ୍ରକ ଧକ୍କା ଦେଇଛି। ଦୁର୍ଘଟଣାରେ ବଲେରୋରେ ଥିବା ଜଣେ ଗୃହରକ୍ଷୀ ଓ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ଗାଡ଼ିରେ ଥିବା ଅନ୍ୟ ତିନିଜଣଙ୍କ ମଧ୍ୟରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ଜିଲ୍ଲା ପୁଲିସରେ ଶୋକ ଛାଇ ଯାଇଛି। ବୌଦ୍ଧ ଆଦର୍ଶ ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ତେବେ ଦୁର୍ଘଟଣା ଘଟାଇଥିବା ଟ୍ରକର ଚାଳକ ଓ ଖଲାସି ଫେରାର ହୋଇ ଯାଇଛନ୍ତି।

ସୂଚନା ଅନୁସାରେ, ବାଉଁଶୁଣି ଥାନା ଏଏସଆଇ ନାଗରାଜ ପ୍ରଧାନଙ୍କ ନେତୃତ୍ବରେ ସ୍ବତନ୍ତ୍ର ପୁଲିସ ଦଳ କଟକ ଜିଲ୍ଲା ବୈଦେଶ୍ବର ଥାନା ଅଞ୍ଚଳକୁ ଯାଇଥିଲେ। ୨୦୨୨ର ଏକ ‘ବଲେରୋ କ୍ୟାମ୍ପର’ ଗାଡ଼ି ଚୋରି ମାମଲାର ତଦନ୍ତ କରି ଭଡ଼ାରେ ନେଇଥିବା ବଲେରୋ (ଓଡି-୦୩ଇ-୫୧୬୩)​ରେ ଫେରୁଥିଲେ। ବୁଧବାର ଭୋର ପ୍ରାୟ ୪ଟାରେ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି କମଳପୁର ଛକ ନିକଟରେ ପୁଲିସ ଦଳ ଦୁର୍ଘଟଣାର ଶିକାର ହୋଇଥିଲେ। ସୋନପୁରରୁ ବୌଦ୍ଧ ପଟକୁ ଆସୁଥିବା ଏକ ୧୬ ଚକିଆ ଟ୍ରକ୍ (ଓଡି-୨୫ଏମ- ୦୦୯୫) ହଠାତ ଡାହାଣ ପାର୍ଶ୍ବକୁ ମାଡ଼ି ଆସି ଚାଳକ ପାର୍ଶ୍ବରେ ଧକ୍କା ଦେଇଥିଲା। ଧକ୍କା ଏଡ଼େ ତୀବ୍ର ଥିଲା ଯେ, ବଲେରୋଟି ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଛି। ଟ୍ରକ ଚାଳକ ନିଦରେ ଢୋଳେଇ ଭାରସାମ୍ୟ ହରାଇଥିବା ଅନୁମାନ କରାଯାଉଛି। ସ୍ଥାନୀୟ ଲୋକେ ଆସି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ। ବଲେରୋ ଚାଳକ ପ୍ରଶାନ୍ତ ରଣା ଓ ଗୃହରକ୍ଷୀ ଜଗନ୍ନାଥ ମେହେରଙ୍କ ଦୁର୍ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟ ଆହତଙ୍କ ମଧ୍ୟରେ ଏଏସ୍‌ଆଇ ନାଗରାଜ ପ୍ରଧାନ ଓ ଗୃହରକ୍ଷୀ ସୁଶାନ୍ତ ସାହୁଙ୍କ ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟଜଣେ ଗୃହରକ୍ଷୀ ଉଦୟନାଥ ଜାନି ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ଏସ୍‌ଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ବୌଦ୍ଧ ଆଦର୍ଶ ଥାନା ଆଇଆଇସି ମାଧବାନନ୍ଦ ନାୟକ, ବାଉଁଶୁଣି ଥାନାଧିକାରୀ ଅରୁଣ ସିଂହ ଓ ଜହ୍ନାପଙ୍କ ଫାଣ୍ଡି ଅଧିକାରୀ କୁମୁଦ ଚନ୍ଦ୍ର ଭୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର