ଅନୁଗୁଳ: ମା’ ଓ ଭାଉଜଙ୍କୁ ନେଇ କାର୍‌ରେ ଯାଉଥିବା ଜଣେ ମହିଳା ଦୁର୍ଘଟଣାର ସାମ୍ନା କରିଛନ୍ତି ମୁହାଁମୁହିଁ କାର୍‌ ଧକ୍କାରେ ମା’-ଝିଅଙ୍କ ମୃତ୍ୟୁ ହୋଇଛି। ଅନୁଗୁଳ-ଆଠଗଡ଼ ରାସ୍ତାର ଛେଳିଆପଡ଼ା ଠାରେ ଆଜି ଅପରାହ୍‌ଣରେ ଏହି ଅଘଟଣ ଘଟିଛି। ମୃତ ମା-ଝିଅ ହେଲେ ଦୁର୍ଗାବତୀ ପ୍ରଧାନ ଓ ସଂଯୁକ୍ତା ପ୍ରଧାନ। ଝିଅ ସଂଯୁକ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ଥିବା ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ ସଂଯୁକ୍ତା, ତାଙ୍କ ମା’ ଦୁର୍ଗାବତୀ ପ୍ରଧାନ ଓ ଭାଉଜଙ୍କ ସହ ଏକ କାର୍‌ (କ୍ରେଟା)ରେ କଟକ ଜିଲ୍ଲା ଆଠଗଡ଼ ଅଭିମୁଖେ ଯାଉଥିଲେ। ଖଣ୍ଡହତା ନିକଟରେ ସାମ୍ନା ପାର୍ଶ୍ବରୁ ଆସୁଥିବା ଏକ ଦ୍ରୁତଗାମୀ କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସଂଯୁକ୍ତା ଓ ଅନ୍ୟମାନେ ବସିଥିବା ଗାଡ଼ିଟି ଓଲଟି ପଡ଼ିଥିଲା।  ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଆସି ଓଲଟି ପଡ଼ିଥିବା କାରରୁ ସମସ୍ତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

ତେବେ ଡାକ୍ତର ସେଠାରେ ସଂଯୁକ୍ତ ଓ ଦୁର୍ଗାବତୀଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ମହିଳା ଜଣକ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟପଟରେ କାର୍‌ରେ ଥିବା ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବର ପାଇ ଅନୁଗୁଳ ସଦର ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।