ବୈପାରିଗୁଡା: ରାସ୍ତାକଡ଼ରେ ପଥର ବୋଝେଇ ଟ୍ରାକ୍ଟର ଠିଆ ହୋଇଥିବା ବେଳେ ପଛରୁ ଯାଇ ପିଟି ହେଲା ବାଇକ୍। ଏହି ଦୁର୍ଘଟଣାରେ ୨ ବାଇକ୍ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

Advertisment

ଘଟଣା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର କେନ୍ଦୁଗୁଡାର ପ୍ରହଲ୍ଲାଦ ଚନ୍ଦ୍ରପାଡିଆ (୪୦) ଆଜି ବୈପାରିଗୁଡା ଆସିଥିଲେ। ଆସନ୍ତାକାଲି ବାଲିଗାଁ ପଞ୍ଚାୟତର ସିନ୍ଧିଗାଁ ନିକଟସ୍ଥ ମୁଣ୍ଡାଗୁଡା ଗ୍ରାମର ସଂପର୍କୀୟଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଟଙ୍କା ଦରକାର ପଡୁଥିବାରୁ ବୈପାରିଗୁଡା ଆସି ଏଟିଏମ୍ ରୁ ଉଠାଇଥିଲେ। ତେବେ ବୈପାରିଗୁଡା ଠାରେ ପ୍ରହଲ୍ଲାଦ କୁନ୍ଦୁରା ବ୍ଲକ ଅନ୍ତର୍ଗତ ଗୁଣ୍ଡାଳ ପଞ୍ଚାୟତର ସାରୁଗୁଡା ଗ୍ରାମର ପରିଚିତ କୃଷ୍ଣ କେନ୍ଦୁଙ୍କ ସହ ଭେଟ ହୋଇଥିଲା। ଉଭୟେ ବାଇକ୍ ଯୋଗେ ଫେରୁଥିବା ବେଳେ ସନ୍ଧ୍ୟା ୮ଟା ସମୟରେ କେନ୍ଦୁଗୁଡା ଛକରେ ଠିଆ ହୋଇଥିବା ଏକ ପଥର ବୋଝେଇ ଟ୍ରାକ୍ଟରକୁ ପଛପଟେ ଧକ୍କା ଦେଇଥିଲେ। ଖବର ପାଇ ବୈପାରିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ପ୍ରହଲ୍ଲାଦ ଏବଂ କୃଷ୍ଣଙ୍କୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ମୃତ୍ୟୁ ହୋଇଯାଇଥିବା ପ୍ରକାଶ କରିଛନ୍ତି। ବୈପାରିଗୁଡା ପୁଲିସ ଶବ ଦୁଇଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ପ୍ରକାଶ କରିଛି।