କେନ୍ଦୁଝର: ୨୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ-ପାଟଣା ରାସ୍ତାର କପାସପଡା ଠାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଆଜି ପୂର୍ବାହ୍ନ ପାଖାପାଖି ସାଢ଼େ ଦଶଟା ସମୟରେ କପାସପଡ଼ା ବୁଲାଣି ରେ ବାଇକ ସ୍କୃଟି ମୁହାଁ ମୁହିଁ ଧକ୍କା ହେବାରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମର ମିତ୍ରଭାନୁ ବେହେରା(୪୦) ଓ ସ୍ତ୍ରୀ ସୁରେଖା ବେହେରା ନିଜ ବାଇକ୍ ରେ ଢେଙ୍କିକୋଟ ଅଭିମୁଖେ ଯାଉଥିବା ବେଳେ ପଣ୍ଡାପଡ଼ା ଥାନା ଅନ୍ତର୍ଗତ କାଣ୍ଡଶର ଗ୍ରାମରୁ ଭଉଣୀ ଓ ଭିଣେଇକୁ ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତ ଷଡଙ୍ଗବାହାଳୀ ଗ୍ରାମକୁ ସ୍କୁଟିରେ ଛାଡ଼ିବାକୁ ଆସୁଥିବା ପଣ୍ଡାପଡା ଅଞ୍ଚଳ କାଣ୍ଡଶର ଗ୍ରାମର ଯଦୁ ମୁଣ୍ଡା(୨୬) ଙ୍କ ସ୍କୁଟି ସହ ବାଇକର ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକ ଯଦୁ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଁଞ୍ଚି ରୋଗୀଯାନ ଯୋଗେ ଅନ୍ୟ ଚାରି ଜଣଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ତଣ୍ଡୋ ଗ୍ରାମର ମିତ୍ରଭାନୁ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଭବାନୀ ମୁଣ୍ଡା ଓ ସୁରେଖା ବେହେରା ଆହତ ହେଇଥିବାବେଳେ ଗୋପବନ୍ଧୁ ମୁଣ୍ଡା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ଘଟଗାଁ ଥାନାରେ ୨୦୯/୨୦୨୪ ମୂଳେ ଏକ ମାମଲା ରୁଜୁ କରି ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣାର ତଦନ୍ତ କରିବା ସହ ପାଟଣାରେ ୨ମୃତକଙ୍କ ଶବ ବ୍ୟବଚ୍ଛେଦ କରାଇ ମର ଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି। ଦୁର୍ଘଟଣା ଗ୍ରସ୍ତ ଦୁଇ ବାଇକ ଓ ସ୍କୁଟିକୁ ଢେଙ୍କିକୋଟ ଫାଣ୍ଡିକୁ ଅଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/01breaking3-2.jpg)