ରାଉରକେଲା: ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ୍‌ ୱେ’ର କାଂଶବାହାଲ ନିକଟ ମାଣ୍ଡିଆକୁଦର ସୋନୁ ଢାବା ନିକଟରେ ଏକ ସ୍କୁଟର୍‌ (ଓଡି୧୬ଏମ୍‌ ୨୩୫୪) ଡିଭାଇଡରରେ ପିଟିହେବାରୁ ଏଥିରେ ଯାତ୍ରା କରୁଥିବା ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ଦୁହେଁ ହେଲେ ରାଜଗାଙ୍ଗପୁର ଅଞ୍ଚଳର ରବୀନ୍ଦ୍ର ପଣ୍ଡା (୨୫) ଏବଂ ରଶ୍ମିରଞ୍ଜନ ସ୍ବାଇଁ (୨୬)। କାଂଶବାହାଲ ଫାଣ୍ଡି ପୁଲିସ ଦୁହିଁଙ୍କ ଶବ ଜବତ କରି ଆର୍‌ଜିଏଚ୍‌ ଶବାଗାରରେ ରଖିଛି।

Advertisment

ପୁଲିସ ଦୁର୍ଘଟଣାଗ୍ରସ୍ତ ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମିଳିଥିବା ସୂଚନା ମୁତାବକ ବୁଧବାର ରାତି ପ୍ରାୟ ୯ଟାରେ ରବୀନ୍ଦ୍ର ଏବଂ ରଶ୍ମିରଞ୍ଜନ ସ୍କୁଟିରେ ରାଉରକେଲାରୁ ବେକେରି ସାମଗ୍ରୀ ନେଇ ବିଜୁ ଏକ୍ସପ୍ରେସ୍‌ ୱେ’ରେ ରାଜଗାଙ୍ଗପୁର ଫେରୁଥିଲେ। ଦ୍ରୁତଗତିରେ ଯାଉଥିବା ଏକ ବୁଲେଟ୍‌ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା। ଫଳରେ ରାସ୍ତାପାର୍ଶ୍ବ ଡିଭାଇଡରରେ ପିଟି ହୋଇ ଭାରସାମ୍ୟ ହରାଇ ଦୁହେଁ ସ୍କୁଟି ସହ ତଳେ ପଡ଼ିଥିଲେ। ଉଭୟଙ୍କ ମୁଣ୍ଡ ଓ ମୁହଁରେ ଗୁରୁତର ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆମ୍ବୁଲାନ୍ସରେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)କୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।