ବଡ଼ଗାଁ: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଜରଙ୍ଗଲୋଇ ବିଜୁ ଏକ୍ସପ୍ରେସ ରାସ୍ତା ଉପରେ ଆଜି ଏକ କାର୍ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କ ମୃତ୍ୟୁହୋଇଛି। ମୃତକ ହେଉଛନ୍ତି ଜରଙ୍ଗଲୋଇ ବସ୍ତିର ସମ୍ବାରୁ ସାହୁ (୪୦) ଏବଂ କ୍ଷୀରୋଦ ପୃଷେଠ୍ (୩୬)। ଘଟଣାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶପାଇ ରାସ୍ତାରୋକ ହୋଇଥିଲା। ଘଣ୍ଟାଘଣ୍ଟା ଧରି ଶହଶହ ଗାଡ଼ି ରାସ୍ତାର ଉଭୟପାର୍ଶ୍ୱରେ ଛିଡ଼ାହୋଇ ରହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୁଝାସୁଝା ପରେ ଦିନ ୨ଟାବେଳେ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁସାରେ, ସମ୍ବାରୁ ଓ କ୍ଷୀରୋଦ ସବୁଦିନ ଭଳି ପ୍ରାତଃଭ୍ରମଣ ସାରି ନିକଟସ୍ଥ ଢାବା ଆରପଟେ ଥିବା ଯୋରକୁ ଶୌଚ ପାଇଁ ଯାଉଥିଲେ। ରାସ୍ତାପାର୍ଶ୍ବରେ ଚାଲିଚାଲି ଯାଉଥିଲାବେଳେ ରାଉରକେଲାରୁ ସୁନ୍ଦରଗଡ଼ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ କାର୍ ଓଡି ୦୫ ଭି ୬୭୨୩ ସେମାନଙ୍କୁ ଧକ୍କାଦେଇ ପଳାଇଥିଲା। ଧକ୍କା ଏତେ ତୀବ୍ର ଥିଲା ଯେ, ଉଭୟ ବେଶ କିଛି ଦୂରକୁ ଛିଟିକିପଡ଼ି ଗୁରୁତର ହୋଇଥିଲେ। ଡାକ୍ତରଖାନା ନେବା ପୂର୍ବରୁ ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଜରଙ୍ଗଲୋଇରେ ଶୋକାକୁଳ ପରିବେଶ ସହ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଥିଲା। ଗ୍ରାମବାସୀ କ୍ଷତିପୂରଣ ଦାବିରେ ଅଡ଼ି ବସିଥିଲେ। ଶବରଖି ରାସ୍ତା ଅବରୋଧ କରିବାରୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିଲା। ବଡ଼ଗାଁ ଆଇଆଇସି ବନ୍ଦନା ପାତ୍ର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ତଳସରା ବିଧାୟକ ଭବାନୀଶଙ୍କର ଭୋଇଙ୍କ ଉପସ୍ଥିତିରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ତହସିଲଦାର ରମେଶ ବୋଇତାଇ, ପୂର୍ତ୍ତବିଭାଗ ଅଧୀକ୍ଷଣ ଯନ୍ତ୍ରୀ ନାରାୟଣ ପଟେଲ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। କ୍ଷୀରୋଦଙ୍କ ଝିଅଙ୍କୁ ଏଏନ୍ଏମ୍ ଚାକିରି ଓ ସମ୍ବାରୁଙ୍କ ପୁଅଙ୍କୁ ଏଲ୍ ଆଣ୍ଡ ଟିରେ ଚାକିରି ଓ ରେଡ୍କ୍ରସ୍ ପକ୍ଷରୁ ଉଭୟ ପରିବାରକୁ ଆର୍ଥିକ ସାହାଯ୍ୟର ପ୍ରତିଶ୍ରୁତି ଦିଆଯିବା ପରେ ଅଚଳାବସ୍ଥା ହଟିଥିଲା। ରାସ୍ତାରୋକ ହଟିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା।
ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ କାର୍ଟି ଫେରାର ହେଉଥିଲାବେଳେ ଗାଁର ପିଲାମାନେ ଗୋଡ଼ାଇ ତାକୁ ସୁନ୍ଦରଗଡ଼ କରମଡ଼ିହି ମଝିରେ ଧରିଥଲେ। ପୁଲିସ ଏକ ମାମଲା ରୁଜୁକରି ଦୁର୍ଘଟଣା ଘଟାଇଥିବା କାର୍ ଓ ଚାଳକଙ୍କୁ ଅଟକରଖି ପଚରାଉଚରା କରୁଛି। ସୂଚନାଯୋଗ୍ୟ ଯେ, ସମ୍ବାରୁ ଗୁପ୍ଚୁପ୍ ବିକୁଥିବାବେଳେ କ୍ଷୀରୋଦ ଢାବାରେ କର୍ମଚାରୀ ଭାବେ କାମକରି ପରିବାର ଚଳାଉଥିଲେ।