ମହୁ ଖାଇବାକୁ ଜଙ୍ଗଲକୁ ଯାଇଥିଲେ ୫ ଜଣ, ଭାଲୁ ସହ ଲଢ଼େଇ କରି ଜୀବନ ହାରିଲେ ୨, ଜଣେ ଆହତ

୨ ଜଣଙ୍କୁ ଆକ୍ରମଣ କରି ଜୀବନ ନେବା ପରେ ପ୍ରାଣ ହାରିଲା ଭାଲୁ

ରେଢାଖୋଲ: ଜୀବନ ବଞ୍ଚାଇବା ପାଇଁ ୩ ଜଣ ଲୋକ ଭାଲୁ ସହିତ ଜୋରଦାର ଲଢ଼େଇ କରିଛନ୍ତି। କିନ୍ତୁ ଭାଲୁର ପଂଞ୍ଝା ଓ ମୁହଁରୁ ରକ୍ଷା ପାଇପାରିଲେ ନାହିଁ ୨ ଜଣ ଲୋକ। ଅନ୍ୟ ଜଣେ ଆହତ ହୋଇ ହସ୍‌ପିଟାଲରେ ଭର୍ତ୍ତି ହୋଇଛନ୍ତି। ମୃତକମାନେ ହେଲେ ଚେରୁ ମୁଣ୍ଡା (୫୦) ଓ କୃଷ୍ଣ ମୁଣ୍ଡା (୪୮)। ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବନଖଣ୍ଡ ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ପହିଲି ରଜ ଅବସରରେ ଆଜି ପୂର୍ବାହ୍ନରେ ରେଢାଖୋଲ ବନଖଣ୍ଡ ଅନ୍ତର୍ଗତ ବଡ଼ବାହାଲ ରେଞ୍ଜର ବଣିଆବନ୍ଧ ଗାଁର ଚେରୁ ମୁଣ୍ଡା, କୃଷ୍ଣ ମୁଣ୍ଡା, ଅଶାଢୁ ମୁଣ୍ଡା, ସୁବର୍ଣ୍ଣ ମୁଣ୍ଡା ଓ ସୁବଳ ମୁଣ୍ଡା ମହୁ ଖାଇବା ପାଇଁ ଗାଁ ନିକଟରେ ଥିବା ଜଙ୍ଗଲକୁ ଯାଇଥିଲେ। ସେମାନେ ଜଙ୍ଗଲ ଭିତରେ ମହୁ ଖୋଜୁ ଥିବା ବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ।

ତେବେ ଚେରୁ, କୃଷ୍ଣ ଓ ଅଶାଢୁ ଆଗରେ ଚାଲୁଥିବାରୁ ସେମାନେ ଭାଲୁ ସହିତ ମୁହାଁମୁହିଁ ହୋଇଥିଲେ। ମାତ୍ର ଏତିକି ବେଳେ ସୁବର୍ଣ୍ଣ ଓ ସୁବଳ ସାଙ୍ଗମାନଙ୍କୁ ସାହାଯ୍ୟ କରିବା ବଦଳରେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଗଛକୁ ଚଢ଼ି ଯାଇଥିଲେ। ରକ୍ତମୁଖା ଭାଲୁ ସହିତ ଚେରୁ, କୃଷ୍ଣ ଓ ଅଶାଢୁ ଦୀର୍ଘ ସମୟ ଲଢ଼େଇ ଜାରି ରଖିଥିଲେ। କିନ୍ତୁ ଶେଷରେ ଚେରୁ ଓ କୃଷ୍ଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଉଭୟ ଚେରୁ ଓ କୃଷ୍ଣ ମରିବା ପୂର୍ବରୁ ଭାଲୁର ଜୀବନ ନେଇଥିଲେ।

ତେବେ ଭାଲୁ ଆକ୍ରମଣରୁ ବର୍ତ୍ତିଯାଇଥିବା ଅଶାଢୁଙ୍କୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ଚେରୁ ଓ କୃଷ୍ଣଙ୍କର ମୃତଦେହ ଉଦ୍ଧାର କରାଯାଇ ପାରି ନାହିଁ। ବଣିଆବନ୍ଧରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର