ବ୍ରହ୍ମପୁର ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଦୁଇ ମୃତ

ଜଣେ ପଜିଟିଭ୍‌, ଜଣେ ନେଗେଟିଭ୍‌

ଶେରଗଡ଼/ବ୍ରହ୍ମପୁର : ଟାଟା କୋଭିଡ୍ ହସ୍ପିଟାଲ୍‌ରେ ଆଜି ଗଞ୍ଜାମ ଜିଲ୍ଲାର ଦୁଇ ଜଣ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ମୃତ୍ୟୁ ସଂକ୍ରାନ୍ତରେ ସରକାରୀ ଭାବେ ସ୍ପଷ୍ଟ କରାଯାଇ ନାହିଁ। ଜଣେ ଯୁବକ ଶେରଗଡ଼ ବ୍ଲକ୍ ତହଁର ପଞ୍ଚାୟତର ୩୨ ବର୍ଷର ଯୁବକ ବୋଲି ସୂଚନା ମିଳିଛି। ଗତ ୪ ତାରିଖରେ ଟ୍ରେନ୍‌ରେ ଆସି ଶେରଗଡ଼ ବ୍ଲକ୍ ବ୍ରାହ୍ମଣଛାଇ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଗତ ୮ ତାରିଖରେ ତାଙ୍କ ସ୍ବାବ୍ ନମୁନା ସଂଗ୍ରହ କରା ଯାଇଥିଲା। ପରେ ରିପୋର୍ଟ ପଜିଟିଭ୍‌ ଆସିବାରୁ ତାଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ‌ଯୋଗେ ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ୍ ହସ୍ପିଟାଲ୍‌କୁ ନିଆ ଯାଇଥିଲା। ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଛି। ରିପୋର୍ଟ ଲେଖାଯିବା ସୁଦ୍ଧା, ତାଙ୍କ ଶବ ଆଣିବାକୁ ତାଙ୍କ ମା, ବିଧବା ପତ୍ନୀ ଓ ସାନଭାଇ କୋଭିଡ୍ ହସ୍ପିଟାଲ୍‌ରେ ଅପେକ୍ଷା କରିଛନ୍ତି।

ସେହିପରି ଦ୍ବିତୀୟ ମୃତକ ଜଣକ ଗତ ଦୁଇ ଦିନ ତଳେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଅଞ୍ଚଳର ଏକ ସଙ୍ଗରୋଧ କେନ୍ଦ୍ରରୁ ଅସୁସ୍ଥ ଅବସ୍ଥାରେ ଟାଟା କୋଭିଡ୍‌ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରା ଯାଇଥିଲା। ସ୍ବାବ୍‌ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତେବେ ତାଙ୍କର ମଧ୍ୟ ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ସରକାରୀ ଭାବେ କୌଣସି ସୂଚନା ଦିଆ ଯାଇନାହିଁ।

ସମ୍ବନ୍ଧିତ ଖବର